Unknown

 

 

 

 

 

 

 

 

 

ଅଳ୍ପ ଅଶିଣ ପାପ

ପ୍ରବୋଧ କୁମାର ରାଉତ

 

 

 

 

 

 

 

ମୋ କବିତାର

ନ୍ୟାସ

ବିନ୍ୟାସ

ଜୀବନ୍ୟାସର

ଜିମାନାମା ନେଇଥିବା

ପତ୍ନୀ ପୁଷ୍ପଲତାଙ୍କୁ

Image

 

ମୋ କଥା

 

କେଉଁ ଧାରା ଉପଧାରାର ଧାର୍ ଧାରେନି । କେଉଁ ଯୁଗରେ ଯୋଗ କି ବିଯୋଗର ଛାଇ ଛୁଇଁନି । ଗ୍ରାମ୍ୟର ରମ୍ୟ କି ଶୀତର ଗୀତ। ପ୍ରେମର ମର୍ମ କି ବର୍ଷାର ଈର୍ଷା । ଚାହାଣିର କାହାଣୀ କି ବୟସର ଛାଇ ଲେଉଟାଣି। ଏଇ ଯେତେ ସବୁ ଅନୁଚ୍ଚାରିତ, ଅଥଚ ଅହରହ ଥରେଇଛି ଛାତିର କାନ୍ଥି; ସେଇ ମଧୁର ତାଡ଼ନାରେ ଅନୁରଣିତ ଅଳ୍ପ ଅଶିଣ । ପବିତ୍ର ପାପର ପାଗଳପଣ ।

 

କବି ହବାର ଲୋଭ ଜନ୍ମେଇଥିବା ପ୍ରଜ୍ଞାପୁରୁଷ ଗିରିଜାଭାଇ, ଲୋଭନୀୟ ପ୍ରଚ୍ଛଦରେ ସଜେଇଥିବା ପ୍ରଦ୍ୟୁମ୍ନବାବୁ ଓ ସର୍ବୋପରି ପ୍ରକାଶନର ଭାରବହନ କରି କୃତାର୍ଥ କରିଥିବା ପିତୃପ୍ରତିମ ପୀତାମ୍ବର ମିଶ୍ରଙ୍କୁ ସଶ୍ରଦ୍ଧ ନମନ ।

 

ସଂକଳିତ କବିତାଗୁଡ଼ିକୁ ପୂର୍ବରୁ ସ୍ଥାନିତ କରିଥିବା ପତ୍ରିକା ଓ ଦୈନିକ ଖବରକାଗଜ ସମ୍ପାଦକ, ଇ-ଯୁଗରେ କବିତା ପଢ଼ି ଚିଠି ଦେଇଥିବା ସତୀର୍ଥ, ଫେସ୍‌ବୁକ୍‌ରେ ଲାଇକ୍ କରିଥିବା ବନ୍ଧୁବର୍ଗ ଓ ମୋବାଇଲରେ ବଧେଇ ଜଣେଇଥିବା ସମସ୍ତ ସାହିତ୍ୟାନୁରାଗୀମାନଙ୍କୁ ଶତକୋଟି ପ୍ରଣାମ ।

Image

 

ସୂଚୀପତ୍ର

 

୧.

ବୀଜମନ୍ତ୍ର

୨.

ଅଭାଜନ

୩.

କୃଷ୍ଣାଭିସାର

୪.

ପାଦ

୫.

ଲୋଭ

୬.

ପ୍ରତୀକ୍ଷା

୭.

ତମ ଛୁଆଁ

୮.

ପ୍ରଣୟ

୯.

ତୃତୀୟ ପାଦ

୯.

ମୁଁ ତୁମକୁ ଖୋଜେ

୧୦.

ଶବ୍ଦବ୍ରହ୍ମ

୧୧.

ଆଦିମ ପାର୍ବଣ

୧୨.

ମେରୁ ତରଳିବା ପରେ

୧୩.

ଫଗୁଣର ତାମ୍ରଲିପି

୧୪.

ମଗ୍ନମାୟା

୧୫.

ଯାଯାବର

୧୬.

ଜୀପ୍‍ସୀର ଚିତା

୧୭.

ତମେ ନାହଁ ବୋଲି

୧୮.

ଉହୁ

୧୯.

ତୃଷ୍ଣା

୨୦.

ଏଇ ନିଦାଘରେ

୨୧.

ଡହକ ପବନ

୨୨.

ବଢ଼େଇଛି ପାଦ

୨୩.

ପ୍ରେମର ମାଟି

୨୪.

କ୍ଷତ

୨୫.

ବେପଥୁ

୨୬.

ସ୍ନେହେଶ୍ଵରୀ

୨୭.

ଶୀତ : ଚଢ଼େଇ

୨୮.

ଅନୁଭବର ବସନ୍ତରତୁଟିଏ

୨୯.

ଶୀତପାଇଁ ଗୀତ

୩୦.

ବର୍ଷାଠାରୁ ବେଶୀ ମିଠା : ଏଇ ବର୍ଷାଛିଟା

୩୧.

ଲୁହ ଜମା ବର୍ଷା ପରି ନୁହଁ

୩୨.

ଆଖି ବି ଆକାଶ ପରି

୩୩.

ନକ୍ସା

୩୪.

ଗୋଟେ କସ୍ତାଶାଢ଼ିର ଗୀତ

୩୫.

ଗୋଇଠା

୩୬.

ଗାଁ

୩୭.

ପରିବାର : ପରିଭାଷା

୩୮.

ହୁଦ୍ ହୁଦ୍ କାନ୍ଦଣା

୩୯.

ମାଟି ଦୀପ

୪୦.

ଯୁଗ ଧର୍ମ

୪୧.

ଡିସେମ୍ବର ଏକତିରିଶ

୪୨.

ଭେଟି

୪୩.

ତୈଳାକ୍ତ

୪୪.

ଡେଉଁରିଆ

୪୫.

କଲମ

୪୬.

ଅପଦାର୍ଥ

୪୭.

ମୃତ୍ୟୁଚିନ୍ତା

୪୮.

ଅୟୁତ ଆୟୁଷ

୪୯.

କଥା-ବାଚ୍ୟ

୫୦.

ଅନ୍ଧମୁହାଣି

୫୧.

ପାନୁଆ

୫୨.

ଶକୁନ୍ତଳା

୫୩.

ଦାମ୍ପତ୍ୟ

୫୪.

ଦୁଃଖୀ ମଣିଷଟେ ମୁଁ

୫୫.

ପ୍ରିୟତମ କବିତା

୫୬.

ନଜର

୫୭.

ତମ ଦୋଷ ନ ଧରିବା ଭଲ

୫୮.

ହଉ ପଛେ ସ୍ନେହରେ

୫୯.

ଶ୍ମଥ

୬୦.

ତୁଠପଥର

୬୧.

ତୋ’ ସହ ଗପିବି

୬୨.

ଜନ୍ମଦିନ

୬୩.

ରାଜଜେମା

୬୪.

ତମେ ଆସିଲ କି

୬୫.

ସେ ଯାଏ ତୁ ଥିର ହେଇ ଥା’

୬୬.

କାହାଲାଗି କୁହୁଳା କାନ୍ଦଣା

୬୭.

ଅଳ୍ପ ଅଶିଣ ପାପ

Image

 

ବୀଜମନ୍ତ୍ର

 

ଓଁକାରରେ

ଗୁଞ୍ଜରିତ ଭୂରୁ ର୍ଭୁବଃ

ଉଚ୍ଚାରିତ ସନାତନ ବୀଜମନ୍ତ୍ର

ଅତଳ, ଭୂତଳ, ତଳାତଳ, ରସାତଳ,

ଚାରି ପୀଠ

ହିନ୍ଦୁତ୍ବର ଆରମ୍ଭ ଓ ଶେଷ ।।

 

କାନପାରି ଶୁଣ

ଶୁଣାଯିବ ମାଟିରେ, ପବନରେ

ଜୀବନରେ, ନିର୍ଜୀବନରେ

କୀଟରେ, ପତଙ୍ଗରେ

ମହାମନ୍ତ୍ର

ସଂଗୀତର ‘ଅ’କାର

ବର୍ଣ୍ଣମାଳା ଆଦି ଓ ଅନନ୍ତ ।।

ଜାଣିବା ଲୋକକୁ

ବାଟ ପଡ଼ିଅଛି;

ପଞ୍ଚସଖା, ପାଞ୍ଚମନ

ଷଡ଼ରିପୁ, ଇଅଁଳା, ପିଅଁଳା ଭେଦ

ବାଇମନ

ଜୀବନଟା ଶୂନ୍ୟ, ମହାଶୂନ୍ୟ

ପ୍ରକୃତି ପୁରୁଷ ଭେଦ ବିବର୍ଜିତ

ନିଷ୍କାମ-ଅଁଳା ନବମୀ ଦିନ

ରାଧାପାଦ ଦର୍ଶନର ପୁଣ୍ୟ ।।

 

କର୍ମକାଣ୍ଡ

ବେଦ, ଉପନିଷଦ

ସର୍ବୋପରି ଚାରି ତୀର୍ଥ ଭ୍ରମଣର ପୁଣ୍ୟ

ସାକାର, ନିରାକାର

ଆକାରରେ ପୂଜନ, ଭଜନ, କୀର୍ତ୍ତନ

ହେ ମଣିଷମାନେ;

ମନୁ ମନ୍ଵନ୍ତର

ଓଁକାରରେ ଆରମ୍ଭ ଓ ଶେଷ ।

Image

 

ଅଭାଜନ

 

ଏବେ ହେବ ଚଉପଟ

ଇଏ କେଉଁ ପାତାଳୀର ବେଳ ?

ଦାରୁଶଗଡ଼ିରେ ପାଟରଶି ଭିଡ଼ା ହେଲା ପରେ

ସରିଯିବ ତମ ଆମ ଦେଖାଚାହିଁl

ମୁହଁସଂଜ ଭାବର ସକାଳ ।।

 

ଆଉ କି ପଡ଼ିବ ମନେ !

ଟିକେ ଗୁଡ଼ / ଗୋଟେ ଧୂପ

ଓଦା ଜଡ଼ସଡ଼ ବୋଉର ହାତଟେକା

ପାଣିର ପାବନ ।

 

ସକଳ ଐଶ୍ଵର୍ଯ୍ୟ ଭୋଗର

ଇଏ କେଉଁ ନିର୍ଲିପ୍ତ ବ୍ରହ୍ମ ?

ଆଲଟ-ଚାମରର ମହାଭୋଗ

ଷୋଡ଼ଶ ଉପଚାର, ଚୌଷଠି ବ୍ୟଞ୍ଜନ

କିଏ ସେ ଦଇତା ।

କିଏ ପୁଣି ଦେଉଳିକରଣ ।।

 

‘ଉତ୍ତିଷ୍ଠ ବ୍ରହ୍ମଣ ସ୍ପତେ’

ଦାରୁରୁ ଦେବତା,

ତମଠି ଦିବ୍ୟଗୁଣ ପ୍ରକଟିବା ପରେ

ଏଣିକି ଦେଖାହବା ସାତସପନ ।।

 

ଭାଗ୍ୟର ବାଇଶି ପାବଚ୍ଛ

ସଦାକାଳେ ସେମିତି ଅଲଭ୍ୟ

ରହିଯାଉ ଅଚ୍ଛବ, ଅଚିହ୍ନା ହେଇ

ମୋ ପରି ଅଭାଜନ ।।

Image

 

କୃଷ୍ଣାଭିସାର

 

ଭାବିଛି ଯେତେଥର

ତ୍ଵଂ ମବୈବ

ସେତେଥର ଭାଙ୍ଗିଛି

ମନର ତାଜ୍

ପ୍ରେମିକାର ସହରରେ

କବରଟେ ତୋଳିବାକୁ

ଜାଗା ନାହିଁ ଜାଫର୍‍ର ।।

 

କି ଆକର୍ଷଣ ଛପିଛି

ନାରୀର ପାଦରେ

ଦେହି ପଦ ପଲ୍ଲବ ମୁଦାରଂ

ତୋଳିଛି ଘର

ମମତ୍ଵର ଉପର ମହଲାରେ

ହାତରେ କୃଷ୍ଣାର ପାଣ୍ଡୋଇ

କୁରୁକ୍ଷେତ୍ର ନିରନ୍ଧ୍ର ରାତିରେ ।।

 

ବଂଶୀର ବି ଖୁବ୍ ବେଶୀ ନାଁ

ଘର ଉଜାଡ଼ିବାରେ

ଷୋଳସହସ୍ର ଗୋପନାରୀ

ଅଷ୍ଟପାଟବଂଶୀ

ବେଶ୍ ଜଣା ସମୋହନ ବିଦ୍ୟା

ଦେହରୁ ଦେହାତୀତ

ବନ୍ଧୁପତ୍ନୀକୁ ପ୍ରେମର ଚିଟାଉ

ସ୍ଵର୍ଣ୍ଣକମଳରେ

କାମ୍ୟକ ବନରେ ।।

ନଦୀର ସମୁଦ୍ର ସଂଗମ ପରି

ତମେ କାଳେ

ରଚ ଅଭିସାର

ଆତ୍ମାର ।

 

ମତେ କିନ୍ତୁ ଜଣା ନାହିଁ ।

ଏ ଆତ୍ମା, ପରମାତ୍ମା ଖେଳ

ତେବେ ତ ଭାବିଛି

ତମେ ମୋର ନ ହେଲେ ନାଇଁ

ତବୈ ବାହଂ

ତବୈ ବାହଂ ।।

Image

 

ପାଦ

ଥରେ ଜାବୋଡି ଧରିବି

ଆଞ୍ଜୁଳାଭର୍ତ୍ତି ତମ ପାଦକୁ ।

ପାତିଦେବି ନରମ କଲିଜାର ଗାଲିଚା

ନିଗାଡ଼ିଦେବି

ଧମନୀର ଉଷୁମ ଲୁହ

ନୂଆବୋହୂର ଅଳତାଭିଜା

ନଛିପାଦ ପରି

ଡେଇଁଯିବ କି ଏରୁଣ୍ଡି ?

ରାଣ ରହିଲା ତମକୁ ।।

ଯଦି ଆସିବାର ଥିଲା

କେମିତି ବିତିଗଲା ଏ ଉତ୍ତୀର୍ଣ୍ଣ ବୟସ ?

ନଈ, ଫୁଲ, ଜହ୍ନ ସବୁ ପାଇଁ

ଲେଖିଲି ଗୀତ ।

ମୁଁ ସିନା ଅଜଣା ବାଟୋଇ

କେମିତି ଜଣା ପଡ଼ିଲାନି ତମକୁ ??

ପାଦ ଟିକେ ଥାପିବାକୁ

କେତେ ଯେ କାର୍ପଣ୍ୟ !

ବଳି ମସ୍ତକର ପରିସୀମାଠୁ’

ପ୍ରଲୁବ୍‍ଧ ଭାବର ଅକ୍ଷାଂଶ, ଦ୍ରାଘିମା

ଦେଖିବାପରଠୁ ତମକୁ ।।

ଛାତିର କାନପାଖେ

ତମ ଆସିବାର ରୋଶଣି

ହଲପ କରି କହୁଛି;

ଏ ଆତ୍ମୋପଲବ୍‍ଧି

ଏ ଅନୁଭବ

ଷୋଳିଅଣା ତମର

ବେଳେବେଳେ ପଚାରିହୁଏ ନିଜକୁ

ଭାବର ନିରୁତାପଣକୁ ।

ଶିଆଳିଲତାରେ ଦୋଳାୟିତ

ମୃଗକର୍ଣ୍ଣର ମରୀଚିକା

ମୋ ଛାତିରେ !

ଚିହ୍ନରା ବଣିଆ ସମ

ଦେବ କି ? ଚୈତନ୍ୟଘନ

ଶବରର ପ୍ରଜ୍ଞା ଆରପାରେ

ଚିହ୍ନୁଥିବି ଜନ୍ମେ ଜନ୍ମେ

ତମରି ପାଦକୁ ।।

Image

 

ଲୋଭ

 

ମୋର ବା ଜୁ’ କାହିଁ

ବସିଯିବି ତମ ପାଖରେ

ଆଖିରେ ଆଖି ମିଳେଇ

ଜମିଯିବି ମୋ’ ଭିତରେ ।।

ତମର ସେ ଭବ୍ୟଦର୍ଶନ

କେବେ ଜୁଟିବ ଭାଗ୍ୟରେ ?

ଆତ୍ମସାକ୍ଷାତକାରର ମହାନ୍ କ୍ଷଣରେ,

ନୈସର୍ଗିକ ଆନନ୍ଦ

ସଂଚରିଯିବ ସ୍ନାୟୁରେ ସ୍ନାୟୁରେ ।।

ମୁଁ ଏମିତି

ନତଜାନୁ, ଉଉର୍ଦ୍ଧ୍ଵବାହୁ

ପାର୍ଥିବ, ଲୌକିକ ମୋହରେ

ବିଳପୁଛି ଆତ୍ମଦର୍ଶନର ସନ୍ଧିକ୍ଷଣରେ

ଉନ୍ମୀଳିତ ଚକ୍ଷୁ

ସର୍ବତୋ ସମର୍ପଣର ଭାବ

ଆଉ କେବେ

କେବେ ଜୁଟିବ ଭାଗ୍ୟରେ ?

ଆୟୁର ପରିଧିରେ

ଧରାଦେବିନି ଜମା

କଳ୍ପକଳ୍ପକୁ ଆମ ସଂପର୍କ

ଏଇ ଜନ୍ମରେ

ସାରିଦବାକୁ ଭାବିଛ କି ?

ଆତ୍ମାର ମୋକ୍ଷରେ ।

ସ୍ଵର୍ଗର ମୋହରୁ ବହୁଦୂରେ

ନିରାପଦ ଦୂରତ୍ୱରେ

ସବୁ ମୋହ ଏକାପରି

ଯାଚି କରି ଦେଖ

ମୁଁ ଖାଲି

ନିରୋଳା ସଂପର୍କର ଲୋଭରେ ।।

Image

 

ପ୍ରତୀକ୍ଷା

 

ଭାରି ଅବୁଝା ତମେ

ଅବ୍ୟକ୍ତ, ଅବ୍ୟୟ ପରି

ମନ-ହୃଦୟ ସବୁ ବସିଛି ଆବୋରି ।।

ମେଦ, ମାଂସ ଆଉ ସ୍ନାୟୁ

ଉତ୍‍କୀର୍ଣ୍ଣ

କେଜାଣି କେବେ ଆସିବ ତମେ

ପାଇବ କି ନାହିଁ ଆୟୁ ?

ଲାଲଜରିଲଗା ତୋରଣ

କୋଟିକମକୁଟ

ହୃଦୟର ଅଳିନ୍ଦ, ନିଳୟ

ଖାଣ୍ଟି ଓଡ଼ିଆଣୀର ଝୋଟିପରି

କେତେ କାଳୁ ।

ବନ୍ଦାଣଥାଳି, ଦୂବ ବରକୋଳି

ଶୁଭଶଂଖ

କପାଳରେ ଆଙ୍କିଦେବାକୁ

ଚନ୍ଦନଚିତା

 

ପ୍ରତୀକ୍ଷମାଣ ତୋରଣ ପାଖେ

ତମରି ।।

ମୋର ହେଇ କିଛି ନାହିଁ

ଉଜେଇଛି ସବୁ ମମତ୍ଵ

ଚନ୍ଦନଚର୍ଚ୍ଚିତ ଚୈତନ୍ୟ

ଏ ଭାବ ବି ତମରି ।।

Image

 

ତମ ଛୁଆଁ

 

ତମେ ମତେ ଛୁଇଁନ ଏଯାଏ

ଏ କଥା ବି ନୁହେଁ

ଅଛୁଆଁ ହେଇ ବସିଛି କେତେଥର

ତମରି ପାଖରେ

ଆବିଷ୍ଟ ଭାବରେ ମୁଦ୍ରିତ ଆଖିପତା

ସ୍ପର୍ଶହୀନ ବନ୍ଧନୀରେ

ଆକ୍ତାମାକ୍ତା ସବୁ ମାନବୀୟ ସଭା

ତମେ କ’ଣ ଛୁଇଁବ ସତରେ ?

ସ୍ପନ୍ଦନ ତ ନୁହଁ

ରେଳଗାଡ଼ି

ପ୍ଲାଟଫର୍ମ ପରି ହୃଦୟର କାନ୍ଥି

ଏମିତି ଥରିଯାଉଛି କାହିଁକି ଆବେଗରେ ?

ତମେ ନା ମୁଁ

କିଏ ଦୌଡୁଛି ଏକାନ୍ତ ମନସ୍କ ହେଇ

ଛୁଇଁବା ନିଶାରେ ?

ସେଇ କାଳୁ ଉଜେଇଁ ଦେଲେଣି

ସବୁ ଏକଲାପଣ

ଯାହା ବି କିଛି ଏ ଯାଏ ବଞ୍ଚିଥିଲା

ଉତ୍ତୀର୍ଣ୍ଣ ବୟସରେ

ଏମିତି କ’ଣ ଆସିବାର ଥିଲା ଝଡ଼ର ଗତିରେ ?

ଜୀବନ ତ ଜିଉଁଥୁଲି ଆପଣା ଢଙ୍ଗରେ ।।

ଏ ଛୁଇଁବାର ନିଶା ବି ବିଚିତ୍ର ସମ୍ମୋହନ

ନତଜାନୁ ପାଦ ଦୁଇ ସ୍ପର୍ଶ କଲାବେଳେ

ମନ୍ତ୍ରମୁଗ୍ଧ ଶିହରଣ

ଯାହାସବୁ ବିତିଗଲା ମୋଅରି ଉପରେ

ତମେ କଅଣ ଛୁଇଁଲ ସତରେ ?

Image

 

ପ୍ରଣୟ

 

ତମେ ଏବେ ଭେଦିଗଲଣି

ମୋ ଭିତରେ

ଆଉ ଯାହା ସବୁ ଘଟୁଛି

ସବୁ ଏବେ ମୋ ଆୟତ୍ତ ବାହାରେ ।।

ମୁଁ ସମର୍ପି ଯିବାପରେ

ଆଉ ବା ରହିଲା କ’ଣ

ବିଦେହରେ ମୋ ଦେହେ ଆଶ୍ରିତ

ମୁଁ ନୁହେଁ କି ତୁମ ଅଂଗ

କହିଛି ଗୀତାରେ ।।

ମୁଁ ଭାଳୁଛି ସେଇ ଆସିବାର ଘଡ଼ି

ଏମିତି ତ ହୃଦୟେ ବସିଛ ।

ତଲ୍ଲୀନ ଭାବରେ ଲୀନ

ମନ ମଧ୍ୟେ ରୋମାଞ୍ଚ ସଂଚିଛି

ମୁଁ କେଡ଼େ ଭାଗ୍ୟବାନ୍

ଜନ୍ମ ଜନ୍ମାନ୍ତରେ ଅଲଭ୍ୟର

ପ୍ରତ୍ୟକ୍ଷ କରିଛ ।।

ସେମିତି ସଂଚରୁ ଥାଅ

ପ୍ରାଣବନ୍ତ କରି ଅନ୍ନମୟ କୋଷରେ

ଗୋପ୍ୟ ହେଇଥାଉ ଆମରି ସଂପର୍କ

ଏଇ ଜନ୍ମ ତମରି ନାଆଁରେ ।।

Image

 

ତୃତୀୟ ପାଦ

ଅଦେୟ ହେଉଥିଲା କ’ଣ କିଛି;

ଐରାବତ ହସ୍ତୀ

ଉଚ୍ଚୈଶ୍ରବା ଅଶ୍ଵ

ରାଜଐଶ୍ଵର୍ଯ୍ୟ ?

ତମେ ମାଗିଲ;

ନାଭିଲଗ୍ଲା ମାଟିର ବ୍ରହ୍ମାଣ୍ଡ ।

ଏବେ ମୋ ପାପୁଲିଭର୍ତ୍ତି

ତମ କଅଁଳ ପାଦର ସ୍ପର୍ଶ

ତମେ କି ମାଗିବା ଲୋକ ?

ଭାବିଲି ପାତିଦେବି

କଲିଜାର ଗାଲିଚା

ମଥାର ଦହି

କୋଉଠି ଥାପିବ ହୋ !

କୋଟିକମକୁଟ ପଦୁଅଁ କେଶର ଛୁଆଁ

ସଦ୍ୟ ଜରାୟୁ ଭେଦିଥିବା

ସେ କଅଁଳ ପାଦ ?

ଅତଏବ, ଯେତେ ସବୁ ଅନୁଭବ

ତମ ଛୁଆଁ ମନର ଉଚ୍ଚାଟ

ପାପୁଲି ନୁହେଁ

ପାପୁଲିଭର୍ତ୍ତି ତମାମ ଆକାଶ ।।

ତମ ପ୍ରେମରେ ପାତାଳୀ ହବାକୁ

କାହାର ବା କାହିଁକି ରହିବ ଦ୍ଵିଧା ?

ତମେ ତ ନିଟୋଳ, ନିର୍ଗୁଣ

ପାନ୍ଥଶାଳା ଏକ

ଦବ ତ ଦିଅ ନରକ ବାସ

ଆ ! ମନ ହୃଦୟ କଦମ୍ବିତ

ମୋ ଚାରିପାଖ

ତମ ଛୁଆଁର ମହକ ।।

ତମେ ପ୍ରସାରୁଛ ପାଦ

ଭେଦୁଛ ମନର ସରହଦ

ମୋର ହେଇ ଅଛି କଅଣ ?

ତୁଚ୍ଛ ଏ ଶରୀର

ଲକ୍ଷ ଲକ୍ଷ ହୃଦ୍ପିଣ୍ଡ

ସବୁ ତମ କୃତ

ବାରଖଣ୍ଡ ଭାଗବତ

ଇଚ୍ଛା କଲେ ପ୍ରସବିବ

ମୋ ପରି ଅୟୁତ ପ୍ରେମିକ ।।

ମୁଁ ଖୋଜିବିନି

ଆଉ କା’ର ସହବାସ

ମନ୍ଦିରର ଗର୍ଭଗୃହ /

ପୁନଃଜରାୟୁବାସ,

ଜୀବନରେ ଥରଟିଏ ତ ହେଇଛି ପ୍ରେମ

ଅସାର ସବୁ ଶରୀରତତ୍ତ୍ୱ / କୃଚ୍ଛ୍ର ସାଧନା

ମୂଳାଧାରରୁ ସହସ୍ରାର ଚକ୍ର

ସ୍ଵର୍ଗ, ନର୍କ, ପାତାଳ.... ହାଃ... ଫୁଃ

ସାଇତିଛି ତମ ଛୁଆଁ ସେ ପହିଲି ପୁଲକ

ତୃତୀୟ ପାଦରେ ଯେଣୁ

ମୋର ପ୍ରେମ ପରମାୟୁ

ପ୍ରେମରେ ଲୋଡ଼ା ନାହିଁ ଜୀବନ

ମୃତ୍ୟୁ ମୋର ଅନିବାର୍ଯ୍ୟକର

ବୟସୀ ପ୍ରେମିକା ମୋର

ତମେ ଇଁ ଈଶ୍ଵର

ତମେ ଈଁ ଈଶ୍ଵର ।।

Image

 

ମୁଁ ତୁମକୁ ଖୋଜେ

 

ମୁଁ ତୁମକୁ ଖୋଜେ

ଜୀବନର ସବୁ ସଂଜେ

ସଞ୍ଜସଳିତା ସାଥେ

ଯେବେ ଶୁଭ ଶଂଖ ବାଜେ

ମୁଁ ତୁମକୁ ।। ୧ ।।

 

ଆଜିକାଲି ଜୀବନଟା ଏମିତି ଏମିତି

ବର୍ଷାରେ ମୟୂର

ପାଦର ନୂପୁର

ଛନ୍ଦହୀନ ରୁଣୁଝୁଣୁ ବାଜେ

ତମେ କିଏ ?

କିଏ ଗୋ ତମେ ମୋର ??

ମୁଁ ତୁମକୁ ଖୋଜେ

ଜୀବନର ।। ୨ ।।

 

ଭୁଲ୍ ରେ ଆଗେ ଭୁଲିହୁଏ ନାହିଁ

କମ୍ପଇ ହୃଦୟତନ୍ତ୍ରୀ

କିଏ ଗୋ ଯନ୍ତ୍ରୀ

ସବୁ ଅବିଗୁଣ ଥାଇ

ନିଟୋଳ, ନିର୍ଗୁଣ କରି ଗଢ଼ିଛି ମୋତେ

ମୁଁ ଖୋଜେ

ସଞ୍ଜସଳିତା ।। ୩ ।।

 

ଦେହରେ ରୋମାଞ୍ଚ

ହୃଦ କମ୍ପ କମ୍ପ

ଆବେଗ ଦେଲାଣି ଲମ୍ଫ

କିଏ ଗୋ ତମେ ?

ହାତ ଠାରି ଡାକ

ଭୋଗ ଲାଳସା ଯେ ମରଇ ଲାଜେ

ଜୀବ ଓ ଜୀବନ ଚରିତାର୍ଥ ହେବ

ଆଉ ଗୋ କେବେ ??

ମୁଁ ଖୋଜେ

ଯେବେ ଶୁଭଶଂଖ ।।୪।।

Image

 

ଶବ୍ଦବ୍ରହ୍ମ

 

ଶବ୍ଦମୟ ପୃଥିବୀର

ନିଶବ୍ଦ ନିଶାଦ

ଶବ୍ଦାଚ୍ଛନ୍ନ କର

ଶବ୍ଦବ୍ରହ୍ମ-ଓଁକାର ନିନାଦ ।।

 

ଅକ୍ଷରର ଜାତକର୍ମ

ମୋହାଚ୍ଛନ୍ନ ଶବ୍ଦବାଣ

ଛାଡ଼ିଛି ତୂଣୀର

ବିଦ୍ଧ କରେ ନଞର୍ଥିକ

ଶବ୍ଦ ବିଶେଷଣ ।।

 

ନିର୍ଜନ, ବିଜନ,

ଶବ୍ଦ ବିଭୂଷଣ

ଶବ୍ଦାର୍ଥ ଲୋଡ଼େ ନାହିଁ

ନିଶବ୍ଦ ନିକ୍ଵଣ ।।

 

ହେ ଶବ୍ଦେଶ୍ଵର !

ଧୁରୀଣ ଧୀବର

ଶବ୍ଦପୁଣ୍ୟ

ଅନ୍ୱେଷା ରଖିଛି ଏକ

ନବ ଶବ୍ଦ ସମ୍ବିଧାନ ।

Image

 

ଆଦିମ ପାର୍ବଣ

 

ଭୁରୁଭୁରୁ ଗନ୍ଧ

ଦେହପରି ଚନ୍ଦନର ବଣ

ମନତଳେ ଅନାହତ ନାଦ

ଲାଗେ ଖାଲି ଫଗୁଣ, ଫଗୁଣ ।।

 

ଓଠ, ନାକ,

ଗ୍ରୀବା ପାଖେ ଘୂରିବୁଲେ

କାହାର ସେ ନୀଳ ନିମନ୍ତ୍ରଣ

ତମେ ଥାଅ ଯୋଗର ନିଦ୍ରାରେ

ଦେହର ଯଜ୍ଞରେ ବିଳପେ

ଆଦିମ ପାର୍ବଣ ।

 

ତମେ ମତ୍ସ୍ୟକନ୍ୟା ପରି

ଆଗୋ ! କୃଷ୍ଣଚୂଡ଼ାର ରଚ ଅଭିସାର

ମୁଁ ହାତ ମାରି ଦେଖେ

ପୋକ ପରି ଗୁରୁଣ୍ଡୁଥାଏ

ମୋ ଅଧାଶରୀର

କଦମ୍ବିତ ଶୃଙ୍ଗାର ଶ୍ରାବଣ ।

 

ଇଏ କଅଣ ?

ତମେ ଏବେ ତମେ ନୁହଁ

ଦେହର ଦେଉଳ

ମୁଁ ସେଇ ବିଦେଶୀ ଯୋଗୀ ଜଣକ

‘ଓଶୋ’ ତତ୍ତ୍ୱଦର୍ଶୀ ପଞ୍ଚପ୍ରାଣ ।

ଚହଟୁଥାଏ ରାତି

ଦୁଇଟି ନିଃଶ୍ୱାସର କୁଣ୍ଡଳୀରେ

ଏକାକ୍ଷର ବ୍ରହ୍ମ

ଧୀରେ ଧୀରେ ଲଭୁଥାଏ

ଦେହର ନିର୍ବାଣ ।।

Image

 

ମେରୁ ତରଳିବା ପରେ

 

ଈପ୍‍ସିତ ଶିହରଣ

ମେରୁ ପରି ତରଳିବା ପରେ

ମୁଁ ନ ଥିବି ଲେଖିବାକୁ କବିତା

ସବୁ ତିତିକ୍ଷାର ଅନ୍ତ ଘଟିବ।

ଏଇ ନିଦାଘରେ ।

 

ଆହାଃ !

ତମେ ଗୋଟେ ଓଏସିସ୍

ଶୋଷିଲା ଓଠରେ

ମୁଁ ଯାହା ମରୁପଥଚାରୀ

ନଷ୍ଟ ଲୋଧ୍ରସମ

ଲୋଟୁଥାଏ ବାଲିସ୍ତୂପ ପରେ

ବିକ୍ଷିପ୍ତ ପାଦରେ ।

 

କଦମ୍ବିତ କାମନା ସବୁ ବେହାଲ

ଧୁ ଧୁ ବୈଶାଖୀ ଛୁଆଁରେ

ଫେରିଚାହଁ

ଘନୀଭୂତ ଉଚ୍ଛ୍ଵାସ ନିଭୃତରେ

ଖୋଜୁଛି ଗୋଟେ ବିଶ୍ୱାସୀ ବାଦଲ

ଯାହାସବୁ ବାଷ୍ପୀଭୂତ ହେଲା

ମେରୁ ତରଳିବା ପରେ ।।

Image

 

ଫଗୁଣର ତାମ୍ରଲିପି

 

ଦେଖ ମୁଁ ତମକୁ

ହୃଦୟଟେ ଦେବି

ଆଖିର ପାଖୁଡ଼ା ଖୋଲ

ବୟସୀ ନଈର ଅଳସ ବାଙ୍କରେ

ଥିଲେ ଥାଉ ଯେତେ ଛାଇଲେଉଟାଣି

ଥରଟିଏ ପାଇଁ ଭୁଲ ।

 

ମନ ଖୋଜେ ଥରେ ନିଖୋଜ ହୁଅନ୍ତି

ଆଖିପତାର ନୀଡ଼େ

ଖୋଜିବାଟା ଖାଲି ସାର ହୁଅନ୍ତା

ବାଡୁଅ ସ୍ଵପ୍ନ ଭିଡ଼େ

ଇଚ୍ଛାର ସେଇ କିଚିରି ମିଚିରି

କରନ୍ତନି ତମେ ଗେଲ

ନୀଳ ଦୁଃଖଟେ ଖୁଜୁବୁଜୁ ହୁଏ

ମାନିବନି ବୋଲି ବୋଲ ।

 

ଚୋରା ଚଇତିରେ ଚିରିଗଲା ଯେତେ

ନହୁଲି ରାତିର ତାତି

ଅଫେରା ଫଗୁଣ ଛ’ ଗୁଣ ହେଇ

ଲେଖୁଛି ବସି ତାଆରି ତାମ୍ରଲିପି

ଟପଟପ ଝଡ଼େ ଲୁହ ନୁହଁ ଗୋ

ଚିନିଚମ୍ପାର ଫୁଲ

ଦିଅ ଗୋ ତମର ଶେଷ ଦଂଶନ

ହାଇମାରେ ସଂଜବୁଡ଼

ଥରୁଟିଏ ପାଇଁ ପଚାରିକି ବୁଝି

ମନ୍ଦ ଅବା କି ଭଲ ।।

Image

 

ମଗ୍ନମାୟା

 

ତାଜମହଲକୁ ତାଜିଆଟେ କରି

ଜହ୍ନ ମାରୁଛି ହାଇ

ହାତଗଣତି ଏ ହାତୀଗୁମ୍ଫାରେ

ପ୍ରେମ ପିରାମିଡ୍

କାନ୍ଦଇ କଇଁକଇଁ ।

 

ପ୍ରଣୟ ତ ନୁହେଁ

ହୃଦୟ ତଳେ ହି ଖଞ୍ଜିଛ ମୋର

ଇନ୍ଦ୍ରଜାଲର ବୋମା

ନାଗ ନଗ୍ରରେ ବନ୍ଦିନୀ ଆଗେ

ପ୍ରସ୍ତରୀ ପ୍ରିୟତମା !

 

ଜହ୍ନଧୁଆ ତୁମ ଚାନ୍ଦିନୀ ମୁହଁଟି

ରୁପା ତାରକସି କାମ

ଫୁଲେଇ ଫଗୁଣ ଈର୍ଷାରେ ଜଳେ

ମଗ୍ନ ମାୟାରେ କ୍ଲିଓପାଟ୍ରା ଗୋ ତୁମ ।

Image

 

ଯାଯାବର

 

ତମେ ବନବୀଥି

ମୁଁ ବନ୍‍ଜାରା

ଭୋଗିଛେ କେତେ ବର୍ଷାବାହୁଡ଼ା

ସ୍ଵପ୍ନର ଅଂଶୁଘାତ,

ନିରବ ନିଦର ମରୁଯାତ୍ରାରେ

ଯେତେକ ଅଶ୍ରୁପାତ ।

 

ଶାମୁକାଏ ଶୀତ

ଭୋଗିନାଇଁ ଜମା

ସଜ କରବୀର ସରାବୀ ସଞ୍ଜ

ପ୍ରେମର ଏ କାରାବାସ

ଭଲପାଇବାର ଭାଗ୍ୟରେ ଲେଖା

ବଇଶାଖୀ ବନବାସ ।

 

ଆମ ଏ ମୁଲକ ।

ବେଣ୍ଟପୋଖରୀରେ

କଇଁର କଣ୍ଟଲେ।

ହାତ ଠାରି ଡାକିନିଏ,

ତଥାପି ଗୋ ତମେ ଉପାନ୍ତ ସହର

ମୁଁ ଯେ ଯାଯାବର

ନୀଳ ନିର୍ବାଣର ନଜରବନ୍ଦିରେ

ଚିରକାଳ ବନ୍ଦୀ ହୁଏ ।

Image

 

ଜୀପ୍‍ସୀର ଚିତା

 

ବାହୁଡ଼େ ବୁକୁର ପିରାମିଡ୍ ତଳେ

ମିଶରୀୟ ମଉନତା

ଫୁଲକୁ ପଚାର

ନଈକୁ ପଚାର

ମଦହୋସ୍ ଏଇ ମନରେ ମରିଛି

ବହୁ ବନସାଇ ବ୍ୟଥା ।

 

ମହୁ ମୁହାଣରେ ମଧୁମକ୍ଷିକାର

ବୁଡ଼ିଗଲା ବୋଲି ଚେତା

ମାଟିକୁ ପଚାର

ମେଘକୁ ପଚାର

ନୀଳ ନିଦଠାରୁ ରାତିଟେ ଫେରିଛି

ଆଣ୍ଠୁମାଡ଼ି ଆଖିପତା ।

 

କଟୁଆଳପୁଅ କଂସେଇ ହାତେ

ପାତିଦେଲା ପରି ମଥା

ଛାତିକୁ ପଚାର

କାତିକୁ ପଚାର

ଜିଦ୍‍ ଖୋର ଜେମା ହୁକୁମନାମାରେ

ଜଳେ ଜୀପ୍‍ସୀର ଚିତା ।

Image

 

ତମେ ନାହଁ ବୋଲି

 

ଏଇ ମୋ ସହରେ

ଫଗୁରୁ ଫଗୁଣ ଫତୁଆରେ ତୁମ

ନିର୍ବାସନରେ ହୋଲି,

ହଲାଲ୍ ହେଇଛି ହଲପନାମାଟେ

ହଜେଇ ଦେଇଛି କାଲି ।

 

ପ୍ରତୀକ୍ଷାର ପ୍ରୀତି କଦବା କେମିତି

ଦରୋଟି ତମର ଦରବାରୀ ହସ

ତରବାରୀ କର କାଇଁ ?

ବ୍ୟଥା ବ୍ୟାହରେ ଏକା ଏକା ଚାଲେ

ଏ ଘୋର ବନସ୍ତ

ଛଇଳା ଛାତିର ବାଉଳା ନଈଲୋ

ପବିତ୍ର ପାପକୁ ପରତେ କି ଯାଅ ନାହି ? ?

 

ଲୁମ୍ବିନୀର ଲୁହ ଝରାଅନି ଆଉ

ଲାଲ୍ ବିନ୍ଦିର ଲହୁ

ଚଇତର ଚିତା ଛାତିରେ ଛାପିଛି

ଯେତେ ବଇଶାଖୀ ଲୁ’

କୋଇଲିର କୁହୁ

ନଂକାଚନର ପୋହଳାଟାପୁରେ

ଆହାଃ ହେଉ ଅବା ଉହୁ

ଏଇ ମୋର ରାଣ

ନୀଳ ନିର୍ବାସ ସପ୍ତରାତିଟେ ପାହୁ ।।

Image

 

ଉହୁ

 

ଶରତ ସଜଳ ଶିଶିରବିନ୍ଦୁରେ

ସ୍ମୃତି ଯେବେ ହୁଏ

ପାଉଁଶ ତଳର ନିଆଁ

ଅୟୁତ ଆଷାଢ଼

ଆଖିପତା ଛୁଇଁ

ଛାତିତଳେ କହେ ଆହାଃ... ।

 

ତମେ କି’ ଗୋ

ସେଇ ଉହୁର ତୃଷ୍ଣା

ମୃଦୁ ମଳୟର ବାସ୍ନା

ପାହାନ୍ତି ନିଦର ମତ୍ସ୍ୟଗନ୍ଧା ଗୋ

ଶତ ପ୍ରତୀକ୍ଷାର

ଚଇତି ପବନ ଛୁଆଁ ???

Image

 

ତୃଷ୍ଣା

 

କଞ୍ଚାନିଦଟେ

ଅସାର ଯେଉଁଠି

ବେଦୁଇନ୍ ମାରେ ହାଇ

ସ୍ୱପ୍ନ ସେଇଠି ଝୁଣ୍ଡୁଛି ଟିକେ

ଲୁଚକାଳି ଖେଳେ

ଖଜୁରିବଣର ଛାଇ ।।

 

କାକ୍‍ଟସ୍ ଫୁଟେ

ବାଲିର ପାହାଡ଼

ପଡ଼ିଥାଏ ଯେବେ ଶୋଇ

ସୁଲ୍‍ତାନର ସଇତାନୀ ସହି

ଆରବ ନାୟିକା

ବୁର୍ଖାର ତଳେ

କାନ୍ଦୁଥାଏ କଇଁକଇଁ ।।

 

ଠିକ୍ ସେଇଠି

ସ୍ଵପ୍ନଟେ ଛୁଇଁ

ରାତି ଆସିବ କି ନଇଁ

ପାହାଡ଼ୀ ଝରଣା ପରି ବାଟବଣା

ଶବ୍ଦ ଯେଉଁଠି ତରସୁଥିବ ଗୋ

ତମରି ଓଠରେ

ମୃଦୁ ଚୁମାଟିଏ ପାଇଁ ।।

Image

 

ଏଇ ନିଦାଘରେ

 

ଫୁଲକୁ ଦେଇଛି ରାଣ

ଆଉ ଜମା ମଉଳିବନି

ଏଇ ନିଦାଘରେ ।

 

ଛିଟ ପ୍ରଜାପତି ପରି

ଛୋଟଛୋଟ ଇଚ୍ଛା

ଡେଣା ପିଟି ଉଡ଼ିବୁଲିଲେଣି

ଦିଗ୍‌ବଳୟ ସେପାଖରେ

ଅଛି ଯେଉଁ ଛୋଟ ଘରଟିଏ

ସାଧବବୋହୂର ସେଇ

ଛୋଟ ଅଗଣାରେ ।

 

ସ୍ଵପ୍ନମାନେ ଏଡ଼ିକି ବିନ୍ଧାଣି

ବୁଢ଼ିଆଣୀ ଜାଲ ପରି

ବୁଣିଲେଣି ନିଦର ଇନ୍ଦ୍ରଜାଲ

ପ୍ରେମପକ୍ଷୀ ରହୁଥିବା

ଛୋଟ ବସାଟିରେ ।

 

ଖାସ୍ ସେଇଥିପାଇଁ

ମକ୍ଷିକା ରାଣଲୋ ଫୁଲ

ସଜେଇଦେ ପ୍ରିୟାର କବରୀ

ନିଦାଘକୁ ବେଖାତିର କରି

ପତ୍ରଝଡ଼ା ବିରହ ଋତୁରେ ।।

Image

 

ଡହକ ପବନ

 

ଭାରି ଭାରି ଗଳାରେ

ରାଗ ତୋଡ଼ିର ଆଳାପ ପରି

ଏଇ ଯୋଉ ବହିଲାଣି

ବୟସ୍କ ପବନ

ଭିଜେଇବ କାଳବଇଶାଖୀ

ଇଥରର ନୀଳଶେଯପରେ

ରାଗର ରୋଶଣି

ସ୍ଵାତୀଲଗ୍ନ ମାଟିର ଗନ୍ଧରେ

ଆରଣ୍ୟକ ମନ ।

ମୁଁ କୋଉ ସମୁଦ୍ର ନା ପବନ ?

ଖରାପିଠିଆ ହେଇ ଠିଆହେଇଛି

ଏଇ ଯୋଉ ରାତି ଲେଉଟାଣି

ଉଜୁଡ଼ା ଫଗୁଣ,

ବାଡ଼ିଦରଜାରେ କାନଦେଇ ଶୁଣ

ଜୁଇର ଡେଣାରେ

କଅଁଳିଲାଣି ସ୍ଵପ୍ନର ପଲଟଣ ।

ହୁଅନ୍ତ ହେଲେ ଢେଉ କି ମାଟିର ଲାବଣ୍ୟ ?

ପାହାନ୍ତି ନିଦରେ ବାକି ଥିଲା

ଯେତେସବୁ ନଗ୍ନ ନିର୍ବାଣ

ନିପାରିଲାପଣ

ଗୁମୁରୁଛି ତୃଷିତ ଡହକପବନ

କନ୍ଦେଇବାକୁ କରିଛ ଯେ ମନ ।।

Image

 

ବଢ଼େଇଛି ପାଦ

 

କିଛି ଜାଗା ଖାଲି ଅଛି

ପାଦତଳେ

କଅଁଳ କଣ୍ଟାଟିମାନ ମିଠାଛୁରୀ

ତମ ଛୁଆଁ କମାରଶାଳରେ ।

 

ଚାରିଆଡ଼େ ବରଫର ଋତୁ

ତମେ ଖୋଜ ମନର ମଜୁରି

ସଜଗୋଲାପଟେ

ପ୍ରତିଥର ଶୁକପକ୍ଷୀ କଲିଜାରେ

କଣ୍ଟା ଫୋଡ଼େ

ପ୍ରେମ ପରୀକ୍ଷାରେ ।

 

ଝରୁଥିବା ଥୋପାଥୋପା ନିଗିଡ଼ା ରକ୍ତରେ

ପ୍ରେମପଥ ଭିଜୁଥିଲାବେଳେ

ଏ ରକ୍ତକୋଷିକା ସବୁ ଗୋଲାପପାଖୁଡ଼ା

ଝରିପଡ଼େ ମରୁପଥଧାରେ

ବରଫର ବହଳବାତ୍ୟାରେ ।

 

ପାଦ ଖସଡ଼ିବା ଭୟ

ବରଫ ତରଳିବା ଋତୁରେ

କିଛିବାଟ ତମେ ଚାଲ

ନୀଳନିଆଁ ଜଳେ ଦିକ୍‍ଦିକ୍

ମେରୁପଥଧାରେ ।

 

ହୁଏତ ବା ଶିଝିଥୁଲା ଦେହ

ଶୀତଳ ବହ୍ନିରେ

କିଛିବାଟ ମୁଁ ଚାଲେ

ସ୍ମୃତିର ମୁହାଣ ଆଡ଼େ

କଣ୍ଟାଚାଦରରେ ।

Image

 

ପ୍ରେମର ମାଟି

 

ବତୁରା ମାଟିରେ ପାଦଚିହ୍ନ ପରି

ଶାମୁକାଏ ସ୍ମୃତି ନିଅ

ନିଭିଲା ନିଆଁକୁ ଉଖୁରେଇବାକୁ

ମଧୁର ଯନ୍ତ୍ରଣା ଦିଅ ।

ମୁଁ ଯେଉଁ ମନର ମହୁଲି ନିଶା

ନହୁଲି ଚୁମ୍ବକ ଝଡ଼,

ବାହୁଡ଼ାପକ୍ଷୀର ନୀଡ଼ଟିଏ ପରି

ନିଜ ଆକାଶରେ ତିଆରିଛି ସେଠି

ଆରବି ରାତ୍ରୀ

ସ୍ଵପ୍ନର ସଂଜବୁଡ଼ ।

ହେ ମେଘବରନା !

ଭୋଦୁଅ ଭୂଇଁକୁ ଭିଜାଅନା ଆଉ

ମୃଦୁଦଂଶନରେ ନୀଳ ପଡ଼ିଲାଣି

ଚିନିଚମ୍ପାର ଦେହ ।

ଫେରାର ନିଦର ଡାକିବାଲା ହାତେ

ଫେରେଇ ଦିଅନା ଜମା,

ସ୍ଵପ୍ନ ତ ନୁହେଁ

ହାଲରେ ହେଇ ଡଙ୍କେଇ ଦେଇଛି

ଅଙ୍କିତ ସୋଇ ପ୍ରେମର ମାଟିରେ

ପାପୁଲିର ରେଖା

ଡେଇଁସାରିଲାଣି

ତମରି ଗାଁର ସୀମା ।

ମେଘବରନା ଗୋ !

ବାଡୁଅ ପାଣିରେ ଗାଧୋଇବ ରୁହ

ଫଗୁଣ ଭାରୁଆ ବଇନା ନେଲାଣି

କଳସୀ ଭର୍ତ୍ତି ଲୁହ ।।

Image

 

କ୍ଷତ

 

ମୁଁ କାଇଁ ସରଳ ହେବି

ସହଜ ମନରେ ନେବି

ବନଝରଣା ପରି

ଫଗୁଣ ଡାଳରେ ବଉଳିଯିବି ।

 

ସରଳ ନ ହେବାକୁ ପଣ କରିଛି ବୋଲି

ହେଇପାରେ ତମଠୁ’ ଆରମ୍ଭ !

ସବୁ ଶେଷର ଆରମ୍ଭ ପରି

କଅଁଳ ପାପୁଲିରେ ପୋଡ଼ିଯିବାର ଦାଗ

କି’ ସୁଖ ପାଇଁ

ତନ୍ଦୁରୀ ଭାଟିରେ ସେକିବି ?

 

ଶୁଖିଲା କାଦୁଅରେ ଲତ୍‍ପତ୍

କଉମାଛି ପରି

ଅଳ୍ପ ଅଳ୍ପ ପ୍ରେମରେ ପଡ଼ିଥିବା କବିଟିର

ରୋମାଣ୍ଟିକ୍ କବିତା ପରି

ପୁରୁଣା କ୍ଷତକୁ କାଇଁ ଉଖୁରେଇବି

କୋଉ କଥାକୁ ଏବେ

ସହଜ ହୃଦୟରେ ନେବି ?

ଜଳିବା ଦେଖିପାରିବିନି ବୋଲି

ମେରୁର ବରଫଘର ପରି

 

ଏସ୍କିମୋର ସ୍ଳେଜ୍‍ଗାଡ଼ି ପରି

ଖସଡ଼ିଯିବାକୁ ଅଡ଼ିବସିଛି ମନ

ଅସହଣୀ ତମର ଏ ସମର୍ପଣ

ପୁରୁଷାର୍ଥର ବିଳପ

କେତେକାଳ ଅସହଜ ହେବି

ସରଳ ହେବା କେତେ ଯେ କଠିନ

କେମିତି ବୁଝେଇବି ।।

Image

 

ବେପଥୁ

 

ସେବେଳେ ବହୁଥିଲା ନଈଟିଏ

ପାହାଡ଼ର ଧାରେଧାରେ

ଜହ୍ନଧୁଆ ରାତିର ହାତରେ

ଆଉଁସୁଥିଲା କଅଁଳ ପାପୁଲି

ସାରାରାତି ମୁହଁକୁ ପଖାଳି

ଶୀତଳ ଜଳରେ

ଧୀରେ ଧୀରେ ପଡୁଥିଲେ ପ୍ରେମରେ ।।

 

ବହୁଥିଲା ନଈ

ପ୍ରସରୁଥିଲା ପାହାଡ଼

ପ୍ରଥମଥର ପାଖାପାଖି ବସିବାର ରୋମାଞ୍ଚ

ସଞ୍ଚୁଥିଲେ ଘୁଞ୍ଚିଘାଞ୍ଚି ବସିବାରେ,

ଅଟୋବାଲା କାନପାରି କଳୁଥିଲା

ଜୀବନର ମୋଡ଼ପାଖେ

ପଣତର ବାସ୍ନା

ଫ୍ରକ୍‍ପିନ୍ଧା ଆମ୍ବତୋଟା

ବଉଳୁଥିଲା ମନରେ I I

 

ପରିଚିତ ରାସ୍ତାଧାର ସରିଗଲା

ଚୁଟ୍‌କିରେ,

ତମେ କିଛି କହିବ କହିବ ହେଇ

ଓହ୍ନେଇଗଲ ଫାଟକ ପାଖରେ ।

ବେକୁବ୍ ଅଟୋବାଲା କଅଣ ବୁଝିବ

ଖୁସି ସାଉଁଟୁଥିଲା

ତୁଚ୍ଛ ଅଶୀ ଟଙ୍କାରେ ।।

 

ରାସ୍ତାମାନେ ଲମ୍ବେଇଲେ ବାହୁ

ଚଉଡ଼ାଛାତି

ଲୋକଭର୍ତ୍ତି ନିଛାଟିଆ ସଂଜବେଳେ

ଫେରିବା ବାଟରେ

ଯିବାବେଳେ ବେଶ୍ ତ ଦଉଥଲେ ପହରା

ଖୋଜିଲା ନଜରରେ

ଅଟୋବାଲା ପଚାରୁଥିଲା;

ବାବୁ ! କୋଉଠି ଓହ୍ଲେଇବେ

ଅସରନ୍ତି ରାସ୍ତାରେ ।।

Image

 

ସ୍ନେହେଶ୍ୱରୀ

 

ସ୍ନେହେଶ୍ୱରୀ

ଚାହିଁ ଦେଖ

ଭିତରେ ମୋ କଟାଳ କରୁଛି ବର୍ଷା

ଘର ଅଗଣାରେ ଭରପୂର

କଦମ୍ବିତ ବାସ୍ନା ।

 

ଏରୁଣ୍ଡିବନ୍ଧ ସେପଟେ ବନ୍ଧାପଡ଼ିଛି

ପ୍ରିୟତମ ଇଚ୍ଛା

ବର୍ଷେ ହବ ବର୍ଷିନି

ଟୋପେ ମହୁ ପରି ବର୍ଷା ।

 

ହମ୍‍ହମ୍ ଆକାଶର ଛାତି

ଯେମିତି ନିଦମଳମଳ

ମୋର ଦୁଇ ଆଖି ।

 

ହେଇ, ଈପ୍‍ସିତ ମୁହୂର୍ତ୍ତଟେ

ମାଟି ହେଇଗଲା

ଠିକ୍ ତମ ପରି

ବର୍ଷା ଯେବେ ମୋ ଆକାଶୁ

ମୁହଁ ଫେରେଇଲା ।।

Image

 

ଶୀତ ଚଢ଼େଇ

 

ସକାଳ ହେବାକ୍ଷଣି

ଚଢ଼େଇ ଫୁର୍‍କରି ଉଡ଼ିଯାଏ

ଗଛରୁ ଆକାଶକୁ

ପୁଣି ଆକାଶରୁ ଗଛକୁ

ଏମିତି ତା’ ଚିରିଂଚିରିଂ ଶବଦରେ ଦୋହରଉଥାଏ ।

ମାଟିର ଗୀତକୁ ।।

ନା ଚଢ଼େଇ ଜାଣେ ଶୀତକୁ

ନା ଶୀତ ଜାଣିଥାଏ ଚଢ଼େଇକୁ

କେମିତି ଗୋଟେ ବେଖାତିର ଭାବ

ଉପେକ୍ଷାର ଭାବ

ମୁଖସ୍ଥ କରୁଥାଏ

ଚଢ଼େଇଟି ଆତ୍ମଶ୍ଳାଘାରେ

ଅବା ଅଜ୍ଞାତରେ

ସେଇ ଆଦିମତାର

ବିଚିତ୍ରତାର ମାଟିର ଗୀତକୁ ।

ନା ଥାଏ ଶୀତର ଶବ୍ଦକୋଷରେ

ଚଢ଼େଇଶବ୍ଦ

ନା ଚଢ଼େଇର ଋତୁଚକ୍ରରେ

ଶୀତଋତୁ ।

ଚଢ଼େଇ ଗୋଟେ ଅର୍ଥହୀନ ଶବ୍ଦ

ଶୀତ ଗୋଟେ ପ୍ରଭାବହୀନ ଋତୁ

ପରସ୍ପର ଜାବୋଡ଼ି ଧରିଥାନ୍ତି

ତାଙ୍କ ମହାର୍ଘ ଅନୁଭବକୁ

ଏଡ଼ିଦିଅନ୍ତି, ଡେଇଁଯାଆନ୍ତି

ସବୁ ବାଦ-ବିସମ୍ବାଦକୁ ।।

ଶୀତ ଓ ଚଢ଼େଇ ଦୁହେଁ ସମାନ୍ତର

ଶେଷହୀନ ଆରମ୍ଭ ବିରୋଧାଭାସର ।।

Image

 

ଅନୁଭବର ବସନ୍ତଋତୁଟିଏ

 

ସମୁଦ୍ର ସମୁଦ୍ର ଭାବଟିଏ ।

ସଦାବେଳେ ମୋ ଭିତରେ

ତାରାଖଚିତ କୋଉ ଏକ

ପୁନେଇ ରାତିରେ ।

ଆବାହନ !

ବସନ୍ତ ଋତୁର ସ୍ଵପ୍ନରେ

ଏଇ ପାହାନ୍ତି ପହରେ

ତେର ନଈ, ସାତ ସମୁଦ୍ର ସେପାଖୁ

ଭାସିଆସେ ବାରହାତ କେଶ

ସୁନାଫରୁଆରେ

ସ୍ମୃତିର ସହରେ ।।

ନେନ୍ଥି ନେନ୍ଥି ଚମ୍ପାକଢ଼ ପରି

ଅରଖ ଗୋରାଆଙ୍ଗୁଳିର ଆଶ୍ଳେଷରେ

ପଲ୍ଲବି ଉଠୁଛି;

ଭୋଗଡ଼ାଲା / ସାତକଳସ

ଦୂବ / ବରକୋଳିପତ୍ର

ମଙ୍ଗଳସୂତ୍ର

ଅନୁଭବର ଡାଳପତ୍ର ମେଲି

ବସନ୍ତରତୁରେ ।।

ଯୋଉଠି ବି ଅଛି;

କାଶତଣ୍ଡୀର ଅପନ୍ତରା ପାଟ କି,

ମୋଜାଇକି କରା ଫ୍ଲାଟର

କାଗଜଫୁଲରେ

ବେଶ୍ ତ ଆସୁଛ ଚାଲି

ଭାଙ୍ଗିଗଲାବେଳକୁ

ରାତ୍ରୀର ନିବିଡ଼ ନିଦ

ଛଟପଟ ମଦହୋସ୍ ଅଦଉତି ଯନ୍ତ୍ରଣାରେ ।

Image

 

ଶୀତପାଇଁ ଗୀତ

 

।। ୧ ।।

ସଞ୍ଜ ନଇଁଲେ

ଜେଜେ ଖୋଜି ବସୁଛନ୍ତି

ନିଆଁ ଉହ୍ମେଇଟେ

ଆଜିକାଲି ସହିହେଉ ନାହିଁ ବୋଲି

ବୟସର ବୋଝ । ।

ରାତି ଟିକେ ଗଡ଼ିଗଲେ

ବକ୍‍ବାସି କରିବାକୁ

ମୁଁ ଖୋଜେ ନିରୋଳା ଜହ୍ନଟେ

ଆଜିକାଲି ସହିହେଉ ନାହିଁ ବୋଲି

ହୃଦୟର ବୋଝ ।।

।। ୨ ।।

ଯାଚିଲି ଉଷୁମ କମ୍ବଳର

ଆବର୍ତ୍ତ

କହିଲ; ମୋତେ ନାହିଁ ଶୀତ ।

କଥାପଦକେ ଏଡ଼ିଦେଲ

ଉଷୁମ ଦେହର ସ୍ପର୍ଶ ।

ପୁଣି ଯାଚିଲି

ବରଗଛତଳ ପରି ହେମାଳ

ଅଥଚ ମୁଲାୟମ କୋଳ

କହିଲ; ମୋ ଜୀବନରେ

ଆସିବନି ଖରାବେଳ ।

ତେବେ କ’ଣ

ତମ ଦେହ, ମନ, ହୃଦୟ

ସବୁ ଶୀତତାପ ନିୟନ୍ତ୍ରିତ ।।

।। ୩ ।।

ରାତି ଅଧସରିକିର

ଆସିଲା ଶୀତ

ସେତେବେଳକୁ ମୋତେ

ନିଘୋଡ଼ ନିଦ ।

ଫିଙ୍ଗିଦେଲି ନେପାଳୀକମ୍ବଳ

ଦେଖେ ତ ସାରାଦେହ

ବିନ୍ଦିବିନ୍ଦି ଝାଳ

ଦେହ / ହାତ କୋଉଠି ବି ନାହିଁ

ଫୁଣ୍ଟାଏ ବଳ

ଯେମିତି ଏଇଲାଗେ

ଛାଡ଼ିଯାଇଛି ନିଶା ।

କାଲି ରାତିର ପିଇଥିବା ମଦ ।।

।। ୪ ।।

ତମେ କହିଲ;

ତମେ କେମିତିକା ଲୋକ

ତମ ଅନିଷାରେ

ଗଡ଼ିଗଲା ରାତିର ବୟସ

ମଉଳିଲା ଶେଫାଳୀର ହସ ।

ମୁଁ କହିଲି;

ତମେ କ’ଣ ଅନୁଭବୁନ

ବାହାରେ କି ମଞ୍ଜଥରା ଶୀତ !

ତମେ ହସିଲ ଗୋଟେ

ବେପରୁଆ ହସ

ଝାଞ୍ଜିଖରାର ପବନ ପରି

ମୋ ଦେହରେ ବାଜୁଥିଲା

ତମ ଗରମ ନିଃଶ୍ଵାସ ।।

Image

 

ବର୍ଷାଠାରୁ ବେଶୀ ମିଠା : ଏଇ ବର୍ଷାଛିଟା

 

।। ୧ ।।

ତୁ ଯେଣୁ ବର୍ଷୁକୀ

ରାତି ମୋର

ଆଷାଢ଼ ବା କ’ଣ ଦରକାର !

ଭିଜୁଛି ତ ପ୍ରତିଟି ରାତିରେ ।

କିବା ଲୋଡ଼ା ଧାରାଶ୍ରାବଣରେ ।।

 

।। ୨ ।।

ଆସୁନ ଭିଜିବା

କଲେଜ ଛୁଟି

ତମ ହଷ୍ଟେଲ୍ ସାମ୍ନା

ଇଉକାଲ୍‍ପଟାସ୍‍ ମୂଳେ

ବର୍ଷାରେ

ନାଇଁତ... ଆସୁନ ଜଳିବା

ତମେ ତମ ଘରେ... ମୁଁ ମୋ ଘରେ

ବର୍ଷାରେ ।।

 

।। ୩ ।।

ତମକୁ ଛୁଇଁଦେଲେ

ତମେ ବର୍ଷା

ବେପଥୁରେ ଖେଳେ

ବିଜୁଳି ଚମକ

ନ ଛୁଇଁପାରିଲେ ଈର୍ଷା ।।

।। ୪ ।।

ବର୍ଷାଠୁ ଶୀତଳ

ପ୍ରିୟା

ଛୁଇଁଦେଲେ ସିନା

ଦେହ ଭିଜିଯାଏ

ମନ ତଳେ ଲାଗେ ନିଆଁ ।।

 

।। ୫।।

ଶ୍ରାବଣର ବର୍ଷାଧାରରେ

କାଗଜଡଙ୍ଗା କରି

ଭସେଇ ଦେଇଛି

ତମର ସବୁତକ ସ୍ମୃତି

ଛାତିରେ ପଥର ଲଦି

ଅପେକ୍ଷାର ନୀଳକାଗଜରେ

ଲେଖିଦେଇଛି ଇତି ।।

 

।। ୬ ।।

ତମ ଗାଁ ବରଷା ଭଗାରି ସାଜିଲା

ଧୋଇନେଲା ତମ ହାତଲେଖା ଚିଠି

ଲେଖିଥିଲ ଯାହା ଝରକଲମରେ ।

ଛାତିତଳେ ସବୁ ଲେଖିଦେଇଗଲା

ମୋ ଗାଁ ବରଷା

ଯାହା ଧୋଇଯାଇଥିଲା

ଭଙ୍ଗା ଡାକଘର ଚିଠିବାକ୍ସରେ ।।

 

।। ୭ ।।

ରାତି ଗଡ଼ିଗଲା

ନିଦ ସରିଗଲା

ମନଟି ଅବୁଝା ରହିଲା

ବରଷା, ବିରହ ଏକାକଥା ବୋଲି

ଏଇଥର ମନେରହିଲା ।।

 

 

।।୮।।

ଖରା ନା ତା’ ବାପା

ବର୍ଷା ନା ତା’ ଗୋସେଇଁ ବାପା

ମୋ ମଥା ଉପରେ

ତମ ପଣତର ଛତା

ଯାହା ଖରାଦିନେ ହେମକାକର

ବର୍ଷାଦିନେ ଟୋପି ମଥାର ।

 

।।୯।।

କଳାହାଣ୍ଡିଆ ମେଘପରି

ତମ କବଜାରେ ମୋର

ହୃଦୟ ଆକାଶ

ନୃତ୍ୟରତ ମୟୂର ମୁଁ

ବୁନ୍ଦେ ବର୍ଷାର ପ୍ରତୀକ୍ଷାରେ

ବିତିଗଲା ମୋର ତମାମ ବୟସ ।।

 

।।୧୦ ।।

ମେଘ ମେଦୁରିତ ରାତିରେ

ବିଜୁଳିପରି ଥରୁଟିଏ

ଚମକିଯାଅ ମୋ ସ୍ୱପ୍ନରେ !

ଡାକ ମହାସୁଲ ବଢ଼ିଗଲାଣି ଯେ,

ଲେଖିହେଉ ନାହିଁ

ଭାବତକ ସବୁ

ପୋଷ୍ଟକାର୍ଡ ଚିଠିରେ ।।

Image

 

ଲୁହ ଜମା ବର୍ଷା ପରି ନୁହଁ

 

ଈଶ୍ଵରୀ ଗୋ !

ଚିବୁକର ଧାରେ ଲୁହରେ

ଦରଭିଜା ମାଟିର ମହକ

ବତରୁଛି ଚିମୁଟାଏ ଈର୍ଷା

ମତେ ଲାଗେ–

ତମ ସୁଁ ସୁଁ ଅଭିମାନୀ କାନ୍ଦ ପରି

ଆଷାଢ଼ର ପହିଲି ବର୍ଷା ।।୧।।

ମେଘୁଆ ବାଦଲ ପରି

ଆଖିର ଆକାଶ

ଚୁପ୍‍ଚାପ୍‍ ଝରିଯାଏ

ଯେତେସବୁ କୋହ

ନିଃଶବ୍ଦରେ ଝୁରିବା ଶିଖିନ ତ

ଲୁହ ଠୁ’ ଶିଖ

ଲୁହ ଜମା ବର୍ଷା ପରି ନୁହଁ ।।୨।।

Image

 

ଆଖି ବି ଆକାଶ ପରି

 

ବୋଉ ଦେଖିବାର ଭୟରେ

ବାଡ଼ିପଟ କାନ୍ଥକୁରା ପାଖେ

ଅନୂଢ଼ା କିଶୋରୀଟିର ଟୁପ୍‍ଟାପ୍‍ କଥା

ମତେ ଲାଗେ

ଜୁଲାଇ ସକାଳର ଟପ୍‍ଟପ୍ ବର୍ଷା ।।

 

ନା’ ସମସ୍ତଙ୍କୁ ଜଣାଯାଏ

ବର୍ଷାର ଏଲିଜି

ନା’ ସବୁ ଛାତି ଅନୁଭବି ପାରେ

ଛମ୍‍ଛମ୍‍ ପାଉଁଜି ।।

ବର୍ଷିଯିବାର ଇଚ୍ଛାରେ ବିଭୋର

ଉଭୟେ ଆକାଶ ଓ ଆଖି ।।

ବର୍ଷା ତ ସଂଭୋଗର ଋତୁ

ଏଣୁ ଆଦିମତାରେ ପ୍ରମତ୍ତ

ଆକାଶ

ପ୍ରତିବିନ୍ଦୁ ବର୍ଷାରେ ବି

ଛୁଉଁଥାଏ ମାଟି ।

ଆଖି ବି’ ଆକାଶ ପରି

ଗଦ୍‍ଗଦ୍‍

ଝାରିଦିଏ ଦି’ ଠୋପା ପାଣି

ଉଷ୍ଣତାରେ ଭରିଗଲେ ଛାତି ।।

Image

 

Unknown

ନକ୍‍ସା

 

ବାତ୍ୟାରେ ଉପୁଡ଼ି ପଡ଼ିଛି

ଆମ ଗାଁ ମୁଣ୍ଡ ବରଗଛ

ଆଉ ନାହିଁ ସକାଳର ଗୁଲିଗପ

ଖରାବେଳର ତାସ୍‍ ଖେଳ ଓ

ରାତିର ନିଶାପ ।।

ଭାଙ୍ଗିଯାଇଛି ଘର

ଉଡ଼ିଯାଇଛି ଛପର

ସାତପୁରୁଷର ଦେଇପିଣ୍ଡୀ

ଶାଳୁଆ କାଠର ଓରା

ମାଣବସା ଖଟୁଲି,

ରୋଷଘର ସବୁ ଏକାକାର ।।

ହଜିଯାଇଛି

ମାଟିଗୋବରରେ ଲିପାପୋଛା

ବୋଉର ଅଲିଅଳ କାନ୍ଥ,

ମଥାଲଙ୍ଗୁଳି ଯୋତ /

କାଳିଆ, କଷରା ବଳଦ ଓ

ବାପାଙ୍କ ମୁହଁର ହସ ।।

ଏମିତି କି ମକଦ୍ଦମ ଘର

ରାଉତବୁଢ଼ାର ନାକତଳ ନିଶ ।।

Image

 

ଗୋଟେ କସ୍ତାଶାଢ଼ିର ଗୀତ

 

ତମେ କେବଠୁ ଦେଖଉଛ

କସ୍ତାଶାଢ଼ିର ଲୋଭ

ନେ ପିନ୍ଧ

ଆଧୁନିକା ରମଣୀର ବେଶ ।

ଆମକୁ ଭଲ

ଆମ କୌପୀନ, ଗଛର ଛାଲ

ଯାହା ତମେ ଫେସନରେ ପିନ୍ଧ ।।

ଜଙ୍ଗଲ ରଜା

ଗଢ଼ିଛି ସେମିତି ଲଙ୍ଗଳା,

ନିରାଭରଣ, ନଶ୍ଵର ଶରୀର

ପେଟକୁ ଦେଇଛି ଯାହା

ଟକମକ ଭୋକ ।

ଦେହ ଢାଙ୍କିବାକୁ

କାହିଁକି କରିବୁ କହୁନ

ବିକଳ ପ୍ରୟାସ ???

ତମେ ବିକିଚାଲିଛ

ଆମ ଫଟୋ

ବିଦେଶରେ କୁଆଡ଼େ ଚାହିଦା ବହୁତ

ଆମ ଦାରିଦ୍ର୍ୟ

ତମ ପାଇଁ ପର୍ଯ୍ୟଟନ କ୍ଷେତ୍ର ।

ଦେହପାଇଁ ଦୁନିଆ ଉଚ୍ଚାଟ

ତମ ବିକିନ ସଉକ

ଚଳମାନ ଚିତ୍ର

ବଡ଼ଲୋକଙ୍କ ବିଳାସ ।

ଆମର ସିଆଡ଼ିକି ନିଘା ନାହିଁ

କି ଦିନ କି ରାତି ପେଟ ପାଇଁ ନାଟ ।

ନିରେଖି ଦେଖ

ଆମ ଅଧୁଲି ଓଠରେ

ଉକୁଟୁନି ଚାମୁଚେ ବି ହସ ।

ହାଜତରେ କୈଶୋର, ଯୌବନ

ଆମେ କାଳେ ମାଓର ଦୋସ୍ତ !

ଆମ ରକ୍ତରେ

ଲାଲ୍‍ବାହିନୀ ଧୋଉଛି ହାତ

ଲେଖୁଛି ମାଓ ଇତିହାସ

ବିଶ୍ଵାସରେ ଆମେ କାଳେ

ମିଶୋଉଛୁ ବିଷ

ଫି’ ଥର ତମେ ଧସେଇ ପଶିଛ

ଉଜାଡ଼ିଛ ଆମ କେଶ, ବାସ

ଜଙ୍ଗଲର ହସ

ପୂରା ଝର୍ଣ୍ଣ।କୁ ପିଇଦେଇ ବି

ମରିନି ତୁମରି ଶୋଷ ।

ଛାତିରେ ହାତ ଦେଇ କୁହ

ଆମେ କେବେ ମାଡ଼ିଛୁ କି

ତମ ଇଣ୍ଡିଆର ସରହଦ

ଆମ ପାହାଡ଼, ପର୍ବତ

ଆମ ଭାରତ ଆମ ପାଇଁ ସ୍ଵର୍ଗ ।।

Image

 

ଗୋଇଠା

 

କିଛି ବି ରଖିନୁ ସେମିତି

ତମେ ଛାଡ଼ିଯାଇଥିବା ନୀଳବଣ

ସ୍ଥଳପଦ୍ମ

ଡାଲ୍‍ହ୍ରଦର ପାଣି / କୋଇଲିର କୁହୁ

ଖାଲି ଯାହା ସେବେଳର ଭୋକ

ଲଙ୍ଗଳା ଦେହର ଭୂଗୋଳ

ସାଇତିଛୁ ସେମିତି

ଛାତିତଳ ଉହୁ ।।

ତମେ ଦେଇଥିବା ସ୍ଵପ୍ନ

ଅବିକଳ ସେମିତି ସ୍ଵପ୍ନ ହେଇ

ଚିଲିକାର ମାଛପରି

ଝଟକୁଛି ତରାରେ ଖରାରେ ।

ସାବାସି ଦବ ତ ଦିଅ

ଫି’ଥର ଭୋଟ ବେଳରେ

ଆକାଶ କଇଁଆ ପରି

ଲହକି ଯାଉଛି ଆଖିରେ / ଛାତିରେ

ପ୍ରତିଶ୍ରୁତିର ସେଇ ଘିଅ ଆଉ ମହୁ ।।

ସତଷଠି ବର୍ଷ କିଛି କମ୍ କଥା ନୁହଁ ।

ଦେଖୁନ କେମିତି ସେମିତି ଅଛି

ଧମନୀର ଲହୁ ।।

ଯେମିତି ଛାଡ଼ିଯାଇଥିଲ ଛଅଷଠି ବର୍ଷ ତଳେ

ସେମିତି ରଖିଛୁ

ତମର ସେ ଘୁଣଖିଆ ଅରଟ

ଚଷମା ଓ ଚଟି ।

ଆମ ଭିତରେ ଏବେ ବି ତମେ

ଶିଖର ଛୁଇଁବାକୁ ଲୋଡ଼ା ଭଲବାଟ !

ଏସବୁ ତ ପାଠ ବହିର କଥା

ସେମିତି ପାଠ ବହିରେ ଥାଉ ।

ବଦଳିଯାଇଛି ଆଚରଣର ସଂବିଧାନ

କହିଲାବେଳେ ଖାଲି ଯାହା

ତମ ଭାଷା କହୁ ।।

ଭାବିଛି ଲଢ଼ିବି ଏକା ଏକା

ପାକଳଉଛି ଛାତତଳେ

ମେହନତି ମଣିଷର ଉହୁ ।

ହିମତ୍ ବି ରଖିଛି ସେମିତି

ଭଲ ଦିନ ଆଣିବାର ଲିପ୍‍ସା

ନ ଥିବ ଯୋଉଠି

ଭୟର ଗୋଧ୍ରା

ଭୋକର ଭୂଗୋଳ

ସେମିତି ଗୋଟେ ସ୍ଵର୍ଣ୍ଣାଭ ଭାରତ

ଭୋକ ସହ ଭାତର ବନ୍ଧୁତ୍ଵ ।।

ଖାଲି ଯାହା ଥୁରୁଥୁରୁ ଶୀତରାତିରେ

ଗୋରାର ଜୋତାମାଡ଼

ଶ୍ରୀବତ୍ସ ଗୋଇଠା ପରି

ପଞ୍ଜରା ଛାତିରେ

ଯେମିତି ଥିଲା ସେମିତି ରହୁ ।

Image

 

ଗାଁ

ଗାଁ କହିଲାବେଳେ

ସ୍ମୃତିର ଆଁ ଭିତରେ ଦିଶିଯାଉଥିଲା

ମୋ ପିଲାବେଳ ।

ଲିପାପୋଛା କାନ୍ଥ

ବାଉଁଶ କବାଟ

କାଦୁଅ ପଚର ପଚର

ଖସଡ଼ା ବାଟ ।।

ଗାଁ ଦାଣ୍ଡ ଏବେ ‘ଗ୍ରାମ୍ୟ ସଡ଼କ’

ଘର ସବୁ ‘ ଇନ୍ଦିରା ଆବାସ’

ଆସ କିଏ ଲେଖିବ ହୋ

ଗାଁ ଇତିହାସ ।

ତମର ସେ ଉଚ୍ଚାପିଣ୍ଡା

କଚାରାସ୍ତା ଶାଳୁଆ କାଠର ଓରା

ଆଉ କୋଉ କାମକୁ ହୋ

ଆମେ ଏବେ ସହରୀ ମଣିଷ ।।

ଝୋଟି ଲେଖିବାକୁ ତଅର ନାହିଁ ବୋଲି

ସରକାରୀ ଝୋଟିରେ

ମାନୁଛି ରାସ୍ତାକଡ଼, କାନ୍ଥବାଡ଼

ଗାଁର ମଜା ନବାକୁ

ରେସ୍ତୋରାଁରେ ତିଆରି ହଉଚି

ନଡ଼ାର ଝୋପଡ଼ପଟି

ବିଚିତ୍ର ବିରୋଧାଭାସ

ବଡ଼ଲୋକଙ୍କ ବିଳାସ ।।

ପିଲାଏ ପାଠବହିରୁ ଘୋଷୁଛନ୍ତି

ଗହୀରପାଟ,

ସୋରିଷଫୁଲର ହାଟ

ମାଷ୍ଟ୍ରେ ପଚାରୁଛନ୍ତି–

ତମ ଭିତରୁ କିଏ ସେ ଶୁଣିଛ କୁହ ?

କୁମ୍ଭାଟୁଆର ଡାକ

ଆଈ ମା’ କୋଳରେ

ବୁଢ଼ୀ ଅସୁରୁଣୀ ଗପ ।।

ଗାନ୍ଧୀ ବୁଢ଼ାର ଦାଣ୍ଡିଯାତ୍ରା ପରି

ଗାଁ ଶବ୍ଦ ଦିନେ ପାଲଟିଯିବ

ଇତିହାସ !

ଆମେ ଏବେ ସହରୀ-ମଣିଷ ।।

Image

 

ପରିବାର : ପରିଭାଷା

 

ବାପା

ମୁଁ ବୁଝୁଛି ବାପାମାନେ

ବାପା ହେଲାପରେ

ଆଉ ବେଶୀ କଅଣ ମିଳିବ

ଅମୁକ ଲୋକର ପୁଅ

ସମଗ୍ର ସନ୍ତୁଷ୍ଟି

ମୋ ମାମଲତି ଚାଲିଯିବାପରେ

କୃତକୃତ୍ୟ ଯେତିକି ମିଳୁଛି ।।

 

ବୋଉ

ସେବେ ତମକୁ ଡରୁଥିଲି

ଏବେ ପୁଅକୁ ।

ସବୁ ବାଦ-ବିସମ୍ବାଦ

ବିବର୍ତ୍ତନ;

ବୋଉରୁ ଆୟାକୁ ।।

 

ସ୍ତ୍ରୀ

ମୋ ଅବସାଦଗ୍ରସ୍ତ ଜୀବନର

କ୍ଳାନ୍ତି ମେଣ୍ଟାଇବାକୁ

ତମଠୁ ଆଉ ବେଶୀ କ’ଣ ମିଳିପାରେ ?

କେହି ନ ଶୁଣିଲେ ବି

ମୋ ହାକିମାତି ତମେ ଶୁଣିବ

ମୁଁ ଭଲଭାବେ ଜାଣିଚି

ଯୌବନର ଉଦ୍ଦାମତା

ତମଠାରେ ସାରିଛି ।।

 

ପୁଅ

ଯାହା କିଛି ରହିଯାଇଛି

ଅଭିଳଷିତ ଅଥଚ ଦୁଷ୍ପ୍ରାପ୍ୟ

ଏଇ ଜୀବନରେ

ମୁଁ ଦେଖୁଛି ମୋତେ

ତୋ’ ଭିତରେ

ସବୁ ପାଇଯିବି

ମୁଁ ନ ହେଲେ ନାଇଁ

ତୁ ହେଇଗଲେ ।।

 

ଝିଅ

ଆମୋଦିତ ତୋ ଚର୍ଚ୍ଚିତ ଚେହେରା

ମତେ କିନ୍ତୁ ବିଷ ପରି ଲାଗେ,

ସବୁବେଳେ ଇଜ୍ଜତର ଭୟ

ତୋ’ଠୁ ବେଶୀ ମତେ ଘାରୁଥାଏ ।।

Image

 

ହୁଦ୍ ହୁଦ୍ କାନ୍ଦଣା

 

ବାହାରେ ଖୁବ୍ ଜୋର୍ରେ

ପବନ ବହୁଛି

ଭିତରେ ବି।

 

ଏ ହୁଦ୍ ହୁଦ୍ ନୂଆ ନୁହେଁ

ପରିଚିତ ମୁହଁ

ବିନା ନିମନ୍ତ୍ରଣରେ ଚାଲିଆସେ

ବହୁବେଳେ ।

 

ଛାତି ଭିତରେ

ଖାଡ଼ା କରିଦିଏ ତୋଫାନ ।

 

ଚଢ଼େଇ ପରି, ଘର ପରି

ପଶୁ ପରି, ଗଛ ପରି

ନିଃସହାୟ ମଣିଷ ।

କୋହଫଟା ଭାବ ସବୁ ମୁଣ୍ଡ ପିଟନ୍ତି

ଛାତିର କାନ୍ଥରେ ।

 

ଯେତେ ଯିଏ ବୁଝେଇଲେ ବି

ଝଡ଼ ପରି ସେମିତି ଅବୁଝା,

ଅବିରତ ଝଙ୍କାଦେଇ ବହୁଥାଏ

ମନ ପରି

କିଛି ଗୋଟେ ନ ଭାଙ୍ଗିବା ଯାଏ ।।

Image

 

ମାଟି ଦୀପ

 

ସଳିତାରେ ହାତ ଜଳିବ ଲୋ

ଲଳିତା,

ହୁସିଆର ହୁଅ !

ପତଙ୍ଗର ପଟୁଆର

ସଜାଡୁ ଥା’ କୁଞ୍ଚଧାର

ଶିଖାପରି ବଢ଼ିଲା ବଅସ

ଇଏ କୋଉ ବନପୋଡ଼ି ନୁହଁ

ହୁରି ପକେଇଲେ

କ’ଣ ହବ କହ ?

ସ୍ୱାହା ହବାକୁ ମନକରିଛୁ

ଯେତେବେଳେ

ଅଙ୍ଗାରଗଡ଼ିଆରେ ଗାଧୋଇବୁ ରହ ।

ତତଲା ଦୀପରେ ବି ହାତ ଜଳିଯାଏ

କେମିତି ବୁଝିଲୁନି କହ ?

ଦେହ ପରି ମାଟି ଦୀପ

ଜଳିବାର ରାଜସାକ୍ଷୀ ହବ

ଯେତେଥର ମନପୋଡ଼ି

ଦୀପର ତାଉରେ ହାତ ଶିଝୁଥିବା

ଦହନକୁ ଆଉଁସାଆଉଁସି କରି

ଖାଲି ଯାହା ଜଳିବ ସଳିତା

ଥରୁଟିଏ ମାରାହେଲେ

ଭାଗ୍ୟଲିପି ଜଳସମାଧି ଲୋ

ବନିତା

ବେଳହୁଁ ହୁସିଆର ହଅ ।।

Image

 

ଯୁଗ ଧର୍ମ

 

ମନ୍ଦାର ଫୁଲ

ମାଲୁଣୀ ହାତକୁ ଗଲେ

ରାତିରେ ଭେଣ୍ଡା

ଦିନରେ ମେଣ୍ଢା ହେଇଯାଏ

ବିଚରା ରାଜକୁମାର ।।

ବସା ବାନ୍ଧିଲେ

କାଉଚିଆ ବିଲରେ

ମହାଦଶା ପଡ଼ିଯାଏ

ରାହୁରେ ରାହୁ ଅନ୍ତର

ବିଚରା ତମ୍ପର ।।

ସାପକୁ ବି’

ଏଣ୍ଡୁଅ ଜଗିଦିଏ ବାଟ

ଥରୁଟିଏ ମଥାରୁ ମଥାକୁ

ଡେଇଁ ପଡ଼ିଲେ ମୁକୁଟ ।।

ନା ସାପ ପାଖେ

ନା ଫୁଲ ପାଖେ

କୋଉଠି ବି ନ ଥାଏ

କିଛି ବିଶେଷତ୍ଵ ।।

ମାଲୁଣୀର ହାତ

ସାପର ଗାତ

ମଥାର ମୁକୁଟ

ପାପୀ ପେଟ ପାଇଁ ସିନା

ଯେତେ ସବୁ ନାଟ ।।

Image

 

ଡିସେମ୍ବର ଏକତିରିଶ

 

ବାସ୍ ବାସ୍ ଆଜି ରାତିକ ବାଜିମାତ୍ ।

କାଲିର ସକାଳ

ମୋ ରାଣ

ଟବାକୋ /ଦାରୁ / ଦାରୀ

ନା, ନା ମତେ ଛୁଁ ନା ।।

 

ଦେ ଆଉ ଗୋଟେ ପେଗ୍ ।

ଓଠ, ହସ

ନାରୀ-ନୀରା

ବାସ୍ ବାସ୍ ଆଜି ରାତିକ ବାଜିମାତ୍ ।।

 

ପୁଷର କାଲୁଆ ରାତି

ଫିଙ୍ଗିଦେ କମ୍ବଳ ଉହ୍ମେଇର ତାତି

କମ୍‌ସେକମ୍‍ ଆଉ ଗୋଟେ ବ୍ଲୁ

ବାସ୍ ବାସ୍ ଆଜି ରାତିକ ବାଜିମାତ୍ ।।

 

ବାସ୍ ସାଙ୍ଗ

ଟିକେ ଜମିଯାଉ ଜୋସ୍

ସେତିକି ଥାଉ ଫେଣ୍ଟ

ଆଉ ବାଜିଏ ପକା ତାସ୍

ବାସ୍ ବାସ୍ ଆଜି ରାତିକ ବାଜିମାତ୍ ।।

Image

 

ଭେଟି

 

ପ୍ରଥମ ଫଳ ରଜାର

ପ୍ରଥମ ସ୍ଵାଦ ଅଗ୍ନିର

ପ୍ରଥମ ଦାନ ବ୍ରାହ୍ମଣର ।।

 

ସବୁ ପ୍ରଥମ ହିଁ

ପ୍ରମଥ ହୁଏ

ଦେବସ୍ୱ, ରାଜସ୍ୱ ଓ

ବ୍ରହ୍ମସ୍ୱ ଠି ଓଁ ସ୍ଵାହାଃ ।।

 

ମନ ଊଣା କରନି

ହୋ ସାଆନ୍ତେ !

ତମର ତ ସବୁ ମାସ

ପୁଷମାସ

ବିନା ଭେଟିରେ କି ଭେଟ ?

 

ବଦଳିଛି;

ସ୍ଵରୂପ, ସଂଜ୍ଞା, ବିଶେଷତ୍ଵ

ଭେଟିରେ ଫେଣ୍ଟାଫେଣ୍ଟି

ଅନୁକମ୍ପା

ମିଶିଛି ବି କିଛିଟା

ଦାବିର ମହତ୍ତ୍ୱ ।।

 

ହେ ମଣିଷମାନେ !

ଆମେ କେତେ ସ୍ଵାର୍ଥସିଦ୍ଧ

ସଂସାରମନସ୍କ

ଆମ ଦୁନିଆ

ଏବେ ଖାଲି ଭେଟିସର୍ବସ୍ୱ ।।

Image

 

ତୈଳାକ୍ତ

 

ମନେକରିପାର ଆମକୁ ଅର୍ବାଚୀନ ।

ଆମେ କିନ୍ତୁ ବହୁ ପ୍ରାଚୀନ

ତୈଳାକ୍ତ ଖମ୍ବ ଓ

ବିଚରା ମାଙ୍କଡ଼ର କାହାଣୀ ଠୁ’ ।

ଅଭ୍ୟସ୍ତ / ନିପୁଣ

ଅସ୍ଥିମଜ୍ଜ।ଗତ

ମର୍ଦ୍ଦନର କଳା ଓ କୌଶଳ ।।

 

ମାଙ୍କଡ଼ ଗୋଟେ କାହାଣୀ ।

ଆରୋହଣ ବ୍ୟତିରେକେ

ଅବରୋହଣ ଆମ ଜାତକରେ ନାହିଁ ।।

 

ତୈଳ

ଲାଗିଥିବା ଲୋକର

ଦେହ, ମନ ଓ ହୃଦୟ ଜରଜର

ଅଥଚ, ବାହାରଟା ବିବାକୁ ନୁଖୁରା ।

 

 

ଜରିଗୋଟାଳି ଝିଅଟିର

କେଶବାସ ପରି

ଅର୍କ୍ଷିତ, ଅଲରା ।।

 

ତୈଳ

ଲଗେଇଥିବା ଲୋକକୁ ହିଁ ଜଣା

ପରିମାଣ ଓ ପରିଣାମ ।

ବିଚରା ମାଙ୍କଡ଼ ଆମ ପୂର୍ବଜ

ଈର୍ଷାନ୍ୱିତ,

ଆମେ ଏବେ ତୈଳାକ୍ତ ମଣିଷ ।।

Image

 

ଡେଉଁରିଆ

 

ଡରକୁ ଡରିଡରି

ଚାଲୁଚାଲୁ

ଡରପାଖେ ବୁଡ଼ିଯାଏ ସଞ୍ଜ ।।

 

ନିଜକୁ ଡରାଏ

ନିଜ ଛାଇ

ପରପରି ଲାଗେ

ନିଜ ଭିତରର ଦମ୍ଭ ।।

 

ପର ଗାଁ ନଈ ପରି

ନିଜ ଗାଁ ମଶାଣି

ଭୟମାନେ କ’ଣ ଯେ’

ବେଳ ଦେଖି ଭାଙ୍ଗିଦିଅନ୍ତି

ବିଶ୍ୱାସର ବନ୍ଧ ।।

 

ପିଲାଦିନ ଖରାବେଳ

ଅନ୍ଧାରୁଆ ଗପ

ବଡ଼ ମଣିଷକୁ

ଭୟର ଭୁଆସୁଣୀ

ଛୋଟ ଛୋଟ ପାପ ।।

 

ବେକରେ ପିନ୍ଧ

କି’ ହାତରେ ବାନ୍ଧ

ଡରପାଇଁ ଜାଲମହୁରା

ବିବେକର ଗଦ ।।

Image

 

କଲମ

ତମକୁ ଇଁ ଜଣାଥାଏ

ଛାତିର ଆର୍ତ୍ତି

ଆଖିର ଶୃଙ୍ଗାର ।।

ଆବେଗରେ ଭରିଗଲେ ଛାତି

ନିଛାଟିଆ, ଏକୁଟିଆ

ହେଇଗଲେ ରାତି

ଏକା ତମେ ସାଥୀ

ତରଳ, ଉଦ୍‍ଗ୍ରୀବ ଭାବାବେଗର ।।

ହାଲ୍‍କା, ଫୁଲ୍‍କା

ହେଇଯାଏ ମନ

ବର୍ଷଣମୁଖର ରାତି ପରି

ଝରିଗଲେ

ଲୁହକୋହ

ନିର୍ଜୀବ, ପାଷାଣ ଦେହରେ ବି

ଭରିଦିଏ ଜୀବନ ।।

ହେ ମୋର କଲମ !

Image

 

ଅପଦାର୍ଥ

 

ମୁଁ ଆଉ ମୁଁ ହେଇ ନାହିଁ ।

ମୋ ଭିତରେ ମୁଁ ଭାଙ୍ଗିରୁଜି

ଚୂନ୍‍ଭୂତ୍‍

ପଦାର୍ଥର ଗୁଣବତ୍ତା

ମୋ’ଠାରେ ନାହିଁ ।।

 

ପାହାଡ଼ ଭାଙ୍ଗିଲେ ଟେଳା ।

ଭାଙ୍ଗିଭାଙ୍ଗିଗଲେ; ବାଲି, ଧୂଳି

ଦଲକାଏ ପବନରେ

ବାଏଁ କରି ଉଡ଼ିଚାଲିଯାଏ ।

ପଥର ପରିକା ଛାତି ବି

ଦୀର୍ଘଶ୍ୱାସ କରେ–

ବହୁଦିନ ପରେ ଗୋଟେ

କବିତା ଲେଖିବା ପରି

ଛାତି ଭିତରଟା

ଚୂନ୍‍ଭୂନ୍‍

ଏକବାରେ ଶୂନ୍ ହେଇଯାଏ ।।

 

ମୋ ଭିତରୁ ମୁଁ କାଢ଼ି ହେଇଯାଏ ।

କୋଣ ଠେସା, କଣିକିଆ;

ଦୁଇକ ପଣିକିଆ

ଘୋଷି ହେଉଥାଏ ।।

 

ମତେ ଯେତେ ପଚାରିଲେ,

ଏ ଅବକ୍ଷୟର ଉତ୍ତର ବି

ଚୂନ୍‍ଭୂନ୍‍

ଅଜଣା ହେଇ ରହିଯାଏ ।।

 

ଆ’କୁ ସା’ କରିବାଦିନୁ

ଆଶା, ଆରିସା

ସବୁ ଅସାର ।

ଦେଖିବା–ଏଇ ଜନ୍ମରେ

ନ ହେଲା ନାହିଁ,

ଦାନା ବାନ୍ଧିବା ଆରଜନ୍ମକୁ

ମୁଁ ପୁଣି ମୁଁ ହେବି ନାହିଁ ।।

Image

 

ମୃତ୍ୟୁଚିନ୍ତା

 

ମୃତ୍ୟୁ ତ ଶାନ୍ତିଦିଏ

ଶୀତଳ ସ୍ପର୍ଶରେ ।

ନିଦଠୁ ଆରାମ କ’ଣ ବା ମିଳିପାରେ

ପୃଥିବୀ ବକ୍ଷରେ ।।

 

ଜୀବନକୁ ସୁନ୍ଦର କରିବାକୁ

ଜୀବଷ୍ମାନ ଅହରହ

ଜୀବନ ସହ ଲଢ଼ୁଥାଏ

ଜୀବନ ତ କଷ୍ଟ ଦିଏ ।

ଅକୃତଜ୍ଞ ମଣିଷ

ମୃତ୍ୟୁକୁ ଦୋଷୀ କରିଦିଏ ।।

 

ଅନ୍ୟର ଜୀବନ ପରି

ଦୂର ପର୍ବତ

ପିକ୍‌ନିକ୍ ଛଡ଼ା ଆଉ କିଛି ନୁହେଁ ।

 

ପଚାରିବ ତ ପଚାର

ପର୍ବତାରୋହୀକୁ ?

ଆରୋହଣଠୁ ବଳି ଅବତରଣ

ଯିଏ ଦେଖିଛି ନିକଟରୁ

ଜୀବନକୁ/ପର୍ବତକୁ ।।

 

ଦୁର୍ବାର ବଞ୍ଚିବାର ନିଶା /

ପାହାଡ଼ ଚଢ଼ିବା

ଶିଖର ହିଁ ହାତଠାରି ଡାକୁଥାଏ ।

ମୃତ୍ୟୁ ତ ଜୀବନର ଆରମ୍ଭ !

ଆଃ..... ମୃତ୍ୟୁର ଆଶ୍ଳେଷ

ଜୀବନଠୁ ବଳି

ପ୍ରଶାନ୍ତିର ବାଇବେଲ୍ ପଢ଼ୁଥାଏ ।।

Image

 

ଅୟୁତ ଆୟୁଷ

 

ଭାବିଛି ବିତେଇଦେବି

ବାକିତକ ଆୟୁଷ

ତମ ତକିଆ କଡ଼ର ଗପବହି ପରି ।

ଏ ଆପଣାପଣ

ନିଉଛୁଣା,

କୁହୁଡ଼ିତ୍ରାସର ଆମ୍ବବଉଳ

ପାଗ ଉତୁରା ମାଟିର ବୀଜ ପରି ।

 

ଏ ମୋହିତ ଆବେଗ

ବାଟବଣା,

ପାଉଁଶ ତଳର ମଉଳା ନିଆଁ

ନୀଡ଼ହୁଡ଼ା ବିଦେଶାଗତ ପକ୍ଷୀ ପରି ।

 

ଏ ଛାତଭର୍ତ୍ତି ଆର୍ତ୍ତି

ମୁହ୍ୟମାନ

ବାଡୁଅ ବେଳର ପବିତ୍ରପାପ

ବାଲିଯାତ୍ରା ପରଦିନ ପଡ଼ିଆ ପରି ।

 

କଳ୍ପିଛି; ସଞ୍ଚିବି ଅୟୁତ ଆୟୁଷ

ଜନ୍ମବି ତମର ହେଇ

ଉପେକ୍ଷିତ ବେଳାଭୂଇଁର

ଅବଦମିତ ଢେଉଟିଏ ପରି ।।

Image

 

କଥା-ବାଚ୍ୟ

 

ଦେଖିପାରେନି ଅନେକ କଥା ।

କଥାସବୁ ଝୁଣ୍ଟିପଡ଼େ

ଅବଚେତନରେ

କଥାରେ କଥାରେ ଚାଲୁଚାଲୁ

ଭାବସବୁ ଗର୍ଭପାତ ହୁଏ

କବିତାଖାତାରେ ।।

ଶୁଣିପାରେନି ବି ଅନେକ କଥା ।

ଅନ୍ୟମନସ୍କତା ଘାରୁଥାଏ

ଭାଙ୍ଗ ନିଶା ପରି

କୋଳାହଳ ପରିପୂର୍ଣ୍ଣ ନିରୋଳା ବେଳାରେ ।

ମୋ ଭିତରୁ ମୁଁ କାଢ଼ି ହେଇଯାଏ

ଅନ୍ତରଟା ଶୂନ୍ୟ, ମହାଶୂନ୍ୟ

ଗ୍ୟାସ୍ ବେଲୁନ୍ ପରି

ପୁଣି କେବେ ଲାଞ୍ଜକଟା ଗୁଡ଼ି ପରି

କାନିଖାଇ ମାଟିନିଦ ଶୋଇଯାଏ

ଦଲ୍‍କା ପବନରେ ।।

 

କହିପାରେନି ଅନେକ କଥା

ତଣ୍ଟିପାଖେ ଗତଗତ ହୁଏ

ଅନ୍ତର କି ଅନ୍ତବୁଜୁଳା

କେଉଁଠି କେଜାଣି

କଥାବୀଜ ଅଙ୍କୁରୋଦ୍‍ଗମ ହୁଏ !

ଡାଳପତ୍ର ମେଲି ଫଳ, ଫୁଲ ଭରିଯାଏ ।

ପୁଣି କେବେ ପତ୍ରଝଡ଼ା ଦିଏ

ଅଦିନରେ ଗଛ ମରିଯାଏ

ମୋ ଭିତରେ ମୋ କଥା

ଅକୁହା ହେଇ ସବୁଦିନ ରହିଯାଏ ।

ଛୁଇଁପାରେନି ଅନେକ କଥା ।

ମହୁମାଛି ଗୁଣୁଗୁଣୁ ପରି

କାନପାଖେ ସାଉଁ ସାଉଁ ହୁଏ ।

ସୂର୍ଯ୍ୟର ଦକ୍ଷିଣାୟନ ଗତିରେ

ପ୍ରତିଫଳିତ ସ୍ଵକୀୟ ଛାଇପରି

ଛୁଇଁବି ଛୁଇଁବି ହେଇ

ଛାତି କୁଳାଏନି

ହାତପାଆନ୍ତାରେ ଅଛୁଆଁ

ହେଇ ରହିଯାଏ ।।

ଏମିତି କାହିଁକି ହୁଏ ???

ଅଦେଖା, ଅକୁହା

ପୁଣି ଅଶୁଣା, ଅଛୁଆଁ କଥାମାନେ

କଥାବାଚ୍ୟ ହେଇ

ସାଙ୍କୁଡ଼ି ଦିଅନ୍ତି ମନକୁ,

ଆପେ ଆପେ ବୋଲ ମାନି

ଓହ୍ଲେଇ ଆସନ୍ତି କଲମମୁନକୁ

ଖିଆଲି ମଣିଷକୁ

‘କବି’ କରିବାକୁ !!!

Image

 

ଅନ୍ଧମୁହାଣି

 

ବାହାନାରେ ବି ଥାଏ

ଖୁବବେଶୀ ଆନ୍ତରିକତା

ଯାହାକୁ ମୁଁ ପ୍ରଥମ ଜାଣିଲି ।

ଯିଏ ଏତେ ବାହାନା କରିପାରେ

ସିଏ ଚମତ୍‍କାର ଭଲପାଇପାରେ ।

ଯାହା ହଉ:

ଭଲ ପାଉ ପାଉ ଏତେଦିନେ

ଭଲପାଇବାର ବୀଜମନ୍ତ୍ର ଗର୍ଭସ୍ଥ କରିଲି ।।

ବାହାନାଟା ତୁଚ୍ଛହେତୁ

ଭଲପାଇବାଟା ଜ୍ୟାମିତିକ ଉପପାଦ୍ୟ

ସମୀକରଣ, ସରଳୀକରଣରେ

ସାରାଜୀବନ ଜିଇଁଲି ।

ପଛକୁ ଫେରିବି ଭାବିଲେ

ରକ୍ତଚାପ ରୋଗୀପରି

ମଥା ମୋର ଚକ୍କର କାଟୁଛି

 

 

ଏମିତି ନୁହେଁ,

ସେମିତି କହିଥିଲେ

ଭଲ ହେଇଥାନ୍ତା ବୋଲି ଭାବୁଛି ।।

କହିଦେଲା କଥା

ବୋହିଗଲା ପାଣି

ଜୀବନଟା ଅଣଲେଉଟାଣି ।

ମହୁ ମୁହାଣରେ ବି କେମିତି

ଛପି ଯାଇଛି ଅନ୍ଧମୁହାଣି

ମୋ ଅପକ୍ଷା ତମେ

ନୁହେଁକି ଖୁବ୍ ବେଶୀ ସିଆଣୀ ।।

କାହା କହିବାରେ ନ କହିବାରେ

କାହା ଜାଣିବାରେ ନ ଜାଣିବାରେ

ଯାଏ ଆସେ କେତେ

ପ୍ରେମ ତ ଉତୁରା ପେଜ

ଉତ୍ତୀର୍ଣ ବୟସରେ ବି

ମନକୁ କୋରିଦେଇପାରେ

ଘୁଣଖିଆ ପୋକ ।।

 

କାଠହଣା କାଠକୁ ହାଣେ

ଠକ୍ ଠକ୍ ଶୁଭେ

ମନ ପାଖେ କାନଦେଲେ

ଠିକ୍ ସେମିତି ଶୁଭୁଥାଏ

ଯେବଠୁ ପ୍ରେମରେ ଜିଇଁବି

ବୋଲି ମନସ୍ଥ କଲି

ଯଦିଓ ଠିକ୍ ମନଟା

କୋଉଠି ଅଛି

ଏଯାବତ୍ ନା ତମକୁ

ନା ମତେ ଜଣାଅଛି ।

Image

 

ପାନୁଆ

 

ସେ ପାନବିକାଳି

କି’ ପାନଖିଆଳି

ଉଭୟେ ପାନୁଆ ।

 

ଜଣେ ରୂପର ପସରା

ରୂପସମ୍ଭାର

ଅନ୍ୟଜଣେ ଭୋଗୀ/

ରସିକ ରସର ଜୁଆର ।

 

ଜଣେ କବି

କଳ୍ପନାର ଜଉଘର

ଅନ୍ୟଜଣେ ରୋଗୀ

ନିରୋଳା ପ୍ରେମର

ଉଭୟେ ପିଆସୀ

ପୁନେଇ ଜହ୍ନର ।

 

ଫରକ ଏତିକି

ଜଣେ ଆଖିରେ ଧରିଛି

ବର୍ଷୁକୀ ଆକାଶ

ଅନ୍ୟ ଜଣେ

ବାସ୍ନା;

ଋତୁମତୀ, ସଦ୍ୟସ୍ନାତା

ଆଷାଢ଼ ମାଟିର ।

Image

 

ଶକୁନ୍ତଳା

 

ଦୁଷ୍ମନ୍ତ ମୁଦ୍ରିକା ପରି

ଅସ୍ପଷ୍ଟ ସ୍ନେହର ରେଖା

ଆଜି ସାଜିଛି ଶେଷ ସନ୍ତକ

ମୋ ଚିବୁକରେ ।

 

ସୌଭାଗ୍ୟର ମହୋତ୍ସବରେ ତମେ

ଧୋଉଛ ମୁହଁ

ଜହ୍ନରେ/ହସରେ ।

 

ଅଭିଶାପର ଅଭିସଂପାତ ବର୍ଷାରେ

ମୁଁ ଗୋଟାପଣେ ଜୁଡ଼ୁବୁଡ଼ୁ

ଲୁହର/କୋହରେ ।

 

ଯଦିଓ ମୁଁ ଜାଣେ

ହଜିଲା ଅତୀତ ମୋ

ଧୀବର ହସ୍ତରେ ।।

Image

 

ଦାମ୍ପତ୍ୟ

 

ମତେ କି’ ଜଣାଥିଲା

ତମ ଅବର୍ତ୍ତମାନରେ

ବଦଳିଯିବ

କାଠି-କୁଟା, ଆକାଶ, ମଣିଷ

କପାଳର ଚିତ୍ରପଟ

ସଂପର୍କର ସରହଦ ଓ

ତମାମ ପୃଥବୀ ।।

 

କ୍ଲୋରିନ୍ ଧୂଆଁ–

ଫୁଲର ରଂଗ

ଗନ୍ଧହୀନ ନିଅନ୍ ବାଷ୍ପ ପରି

ତମାମ ଜୀବନ ।।

 

ଯନ୍ତ୍ରବତ ଧାଁ-ଦଉଡ଼

ଯାଆ, ଆସ, ହାଏବାଏ

ନିଶ୍ୱାସ-ପ୍ରଶ୍ୱାସ

ବିଲ୍‌କୁଲ ଶଗଡ଼ଗୁଳା

 

ସ୍ଵାଦବିବର୍ଜିତ

ଅନ୍ଧାର-ମନସ୍କ ମନ ।।

 

ମଇଳା କାଗଜ

ରାସ୍ତାକଡ଼ର ଜରିଗୋଟାଳି ମଣିଷ

ଏକାକାର

ଭେଦ ବିବର୍ଜିତ

ନିଷ୍କାମ-ଅଥର୍ବ ହୃଦୟ ।।

 

ଅତଏବ :

ଏତେଦିନେ ଜ୍ଞାତ ହେଲା

‘ଦାମ୍ପତ୍ୟ’

ଆହା !

ମୁଁ ଖାସ୍ ତୁମ ସମର୍ପିତ ।।

Image

 

ଦୁଃଖୀ ମଣିଷଟେ ମୁଁ

 

ବହୁକାଳୁ

କିଛି ଗୋଟେ ଦେବି ଦେବି ଭାବୁଛି

ସେଇକାଳୁ

ମନ-ଅଂଗନ ସବୁ

ଭାରି ଭାରି ଲାଗୁଛି ।

 

ସଖୀରେ ତୋ’ର ତ

ଏମିତି ଗୋଟେ ପିନ୍‍ପିନ୍‍ ମନ

ମନ ସମ କାହିଁ ଚିଜ

ଉପମା, ଉପମିତ

ନିଅଣ୍ଟ ଲାଗୁଛି ।।

 

କି ଚିଜେ ମାନିବ ମନ

କି’ ବା ଦେବି ସଖୀ

ପଥରବସା ମିନାକରା ମୁଦି

ନା, କୁମ୍ଭପକା ମାଣିଆବନ୍ଧ ଶାଢ଼ି ?

 

 

ସଖୀରେ ନବୁ କି ଏସବୁ

ତୁଚ୍ଛ/ଅଳୀକ

ପାର୍ଥିବ ବସ୍ତୁକୁ ?

ନବୁ କହିବୁ ତ ଦେବି

ଦୁନିଆର ସବୁ ମହାନ୍ ମହାର୍ଘ୍ୟ

ନିଜର ଯେତେ ନିଜତ୍ଵ

ନେ’ କହି

ସବୁ ଦେଇଦେବି ।।

 

ଯାହା ବି ଭାବୁଛି

ଦବାକୁ;

ଦେବି ଦେବି ହେଇ

ଖୋଜିଲା ବେଳକୁ

ସବୁ ତ ତୋ’ର

ନିଜକୁ ଛାର ଇତର ମଣୁଛି ।।

Image

 

ପ୍ରିୟତମ କବିତା

 

ବାଃ ବାଃ ଏ ତ ଅତି ଭଲକଥା

ତମ ଘର ଅଗଣାରେ ଫୁଟିଲାଣି

କବିତାର ପେନ୍ଥା ।

କବିତାର ଗୁଣଗ୍ରାହୀ

ହେ ପ୍ରିୟଭାବୁକ

ଭାବନାରେ ସୁଖ ମିଳେ

ଜାଣୁ ଏ ଜଗତ ।।

 

ଭୋକ, ଶୋଷ ତୁଚ୍ଛ ସବୁ

ଶାଗ, ଲୁଣ ଦୁନିଆର କଥା

କଲମ କହିଲା ଯେବେଠୁ

ଅନୁଭବ ହୃଦୟର ବାର୍ତ୍ତା

ସେବେଠୁ ଚାଲୁଛି କବି

ଟେକି ତା’ର ମଥା ।।

 

କଅଣ ମିଳିବ କହିଲ

ମଶାଣିର ପାଉଁଶ ଛୁଇଁଲେ

ଶ୍ରାଦ୍ଧ, ତିଳତର୍ପଣ, ବାର୍ଷିକୀ ପାଳିଲେ

ଥରୁଟିଏ ହୃଦୟକୁ ଛୁଇଁଦେଇ ଦେଖ

ଖୋଲିଯିବ ଯେତେସବୁ ବନ୍ଦ କବାଟ ।

 

ଯେତିକି ଆନନ୍ଦ ମିଳେ

ମଣିଷକୁ ମଣିଷ କହିଲେ

ପାଠବହି ଭିନ୍ନ

ଆଖିରୁ ହୃଦୟର ଭାଷା ପଢ଼ିଲେ

ତତୋଽଧିକ ଆନନ୍ଦ

ଏ କବିତାରେ ଅଛି

କବିତା ଯେଣୁ ମାନବତାର

କହୁଅଛି କଥା ।।

Image

 

ନଜର

 

ତମେ କହିଲ;

ଦେଖିବ ମୋର

ଲଙ୍ଗଳା, ମୁକୁଳା

ଦେହର ଭୂଗୋଳ ।।

 

ମୁଁ ସଯତ୍ନେ

ଘୋଡ଼େଇ ଦେଲି

ମୋ ଦେହ;

ବସ୍ତ୍ରାବୃତ ।

ପିମ୍ପୁଡ଼ିଟେ ଗଳିବାକୁ

ରଖିଲିନି ବାଟ ।।

 

ତମେ ପହଁରେଇ ନେଲ

ଆଖିର ନଜର

ବସ୍ତ୍ର–

ହାଃ... ଫୁଃ

ଗୋଟେ ଫୁତ୍‍କାରରେ

 

ଏକବାରେ ବିବସ୍ତ୍ର

ଅନ୍ତର୍ବସ୍ତ୍ର ଖୋଲିବାରେ କି ପ୍ରୟୋଜନ ???

Image

 

ତମ ଦୋଷ ନ ଧରିବା ଭଲ

 

ଭାବିଛି ଅନେକ ଥର

ଭାବନାରେ କିଛି ନାହିଁ ଫରକ ।

ତମ ଘରପଟ ପଥର ମୁଁ

ନୀରବ ପଥିକ

ମୂକ, ବଧିରଟେ କହିବାଟା ଭଲ ।

ଆଖିପତା ଅମାନିଆ

ଓଠକଥା ତଦ୍ରୂପ

ଶବ୍ଦମାନେ ଯନ୍ତ୍ରବତ୍

ଓOଧାରୁ ଖସିଆସି

ଶୂନ୍ୟରେ କରନ୍ତି ଖେଳ

ଆଖିପତାର ବା କି ଦୋଷ

ନ କହିବା ଭଲ ।

ମୁଁ ତ ନୁହେଁ ଭୟାର୍ତ୍ତ

ଆର୍ତ୍ତିରେ ଭର୍ତ୍ତି

ହୃଦଯନ୍ତ୍ର

ରକ୍ତଚାପ ରୋଗୀଠାରୁ

ଅଳପ ଫରକ ।

ତମେ ତ ନିଟୋଳ, ନିର୍ଗୁଣ

ବୟସର ପାନ୍ଥଶାଳା ଏକ

ଦୋଷ ନିଶ୍ଚେ ପଥର କି

ପଥିକର

ତମ ଦୋଷ ନ ଧରିବା ଭଲ ।।

Image

 

ହଉ ପଛେ ସ୍ନେହରେ

 

ହଡ଼ା ବଳଦର ଟାଆଁସିଆ ଜିଭ ପରି

ତମ ଚୁମ୍ବନ

ଚରିଗଲା ସର୍ବାଙ୍ଗରେ ।

ମକଚି ଯାଇଥିବା ଗୋଲାପ ପାଖୁଡ଼ା ପରି

ଶିଝିଯିବାର ଦାଗ

ମୋ ଚିବୁକରେ

ହଉ ପଛେ ସ୍ନେହରେ ।।

 

ଚିନି, ମହୁ, ଶାକାରିନ୍–

ଚାଟିଦେଲ ସର୍ବାଙ୍ଗ

ଦେହର ଯଜ୍ଞରେ ।

ପାରିଧି ଉପରାନ୍ତେ

ସଦ୍ୟ ରକ୍ତଭିଜା ଓO ଚାଟୁଥିବା

ହେଟାବାଘ ପରି

ଟାକେରା ଫୁଟାଇଲ ଆତ୍ମତୃପ୍ତିରେ

ମହୁମୁହାଣରେ

ହଉ ପଛେ ସ୍ନେହରେ ।।

 

ସଂକଳ୍ପ କରେଇ ନେଇଛ

ଦେଇଦେବି ସର୍ବସ୍ଵ

କାୟମନୋବାକ୍ୟରେ ।

ସବୁ ସାବ୍ୟସ୍ତ ତମର

ଅଙ୍ଗଭଙ୍ଗୀ, ଉଚ୍ଚାଟ,

ଅଶାଳୀନ ପୁରୁଷ-ସର୍ବସ୍ଵ

ନିଜକୁ ସାବ୍ୟସ୍ତିବାକୁ

ମୋର ବୋଲି କିଛି ହେଇ ନାହିଁ

ହଉ ପଛେ ସ୍ନେହରେ ।।

Image

 

ଶ୍ଳଥ

 

ସଂପର୍କର ଖରାବେଳ

ଥରିଉଠେ ତଳିପାଠୁ ତାଳୁ-କପାଳ

ଯାହା ସବୁ ଅଘଟଣର ଘଟିଗଲା

କେଉଁ ମୁହୂର୍ତ୍ତର

କଳଙ୍କିତ ଯମୁନାକୂଳ ।।

କେହି ଚିହ୍ନିଲେନି,

ସ୍ନେହର ରେଖା

ଗହୀଡ଼ା ଆଖିର ତଳେ

କଳାକଳା ଦାଗ ।।

ଅବିଶ୍ଵାସ, ବିଷବୃକ୍ଷର ଛାଇରେ

ପବନର ସ୍ଫୁଲିଙ୍ଗରେ

ଥରିଗଲା ଭୂକମ୍ପରେ କଦମ୍ବ ମୂଳ ।।

ବାହାପାଞ୍ଚି, ଗଇଁଣ୍ଠାଳ

କୁରେଇଫୁଲର ବାସ୍ନାରେ

ଅତରଧୁଆ ସଂଜ ଠୁ’ ସକାଳ

ବଦଳିଗଲା

କାହା ଅଭିଶାପର

ଅଭିସଂପାତ ବର୍ଷାରେ

ରଶି ପରି ଝୁଲିଗଲା

ବଉଳଫୁଲର ମାଳ ।।

ସଂପର୍କର ସୂତାଖିଅ ଅସଂଲଗ୍ନ

ଗୁଡ଼ିଉଡ଼େ ନଟିଠାରୁ ବହୁ ଦୂରେ

ଭିନ୍ନ ଏକ ଇଚ୍ଛା ବଳୟରେ ।।

କିଏ, ଜାଣିଥିଲା

ଏମିତିକି ଏକ ସଉଧର ପାହାଚ

ଚିରଦିନ ଶିଉଳି ଘେରରେ

ଲମ୍ବିଯିବ ଯେତେ ସବୁ ମନାକରା

ରାସ୍‍ତା

ହାତକଡ଼ାପିନ୍ଧା ଜହ୍ନରେ

ତଥାପି ଟକ୍‍ମକ୍‍ କରୁଥିବ

ଚିହ୍ନା ହାତ ଓ ଓଠର ସ୍ପର୍ଶ ।।

ଇଏ କେମିତିକା ଅସହାୟ ଭାବ

ଉନ୍ମୀଳିତ ସବୁ ଦ୍ଵାର

ଭିତରକୁ ରାସ୍ତା

ଅଥଚ ନିରୁପାୟ ବନ୍ଦୀଟି

ଆଣ୍ଠୁମାଡ଼ି ବସିଛି

ନିଜସ୍ଵ ଦୁଃଖ ପିଠିରେ ସବାର ହୋଇ

ରକ୍ତରେ ରକ୍ତରେ ବରଫର ସ୍ରୋତ ।।

Image

 

ତୁଠପଥର

 

ଉଚ୍ଛ୍ଵାସ, ଆବେଗ ବି ଥିଲା

ପରସ୍ପର ।

ସୁଖ, ଦୁଃଖ ବଣ୍ଟାବଣ୍ଟି

ଭାଗୁଆଳୀ ପ୍ରତି ମୁହୂର୍ତ୍ତର ।

 

ସଞ୍ଚିତ, ଗୁମ୍ଫିତ ବେଦନା

ଯାହା କିଛି ମନଗହନର

ସବୁ ସେମିତି ଥିଲା,

ପ୍ରତିକ୍ଷଣ

ଦୁଇ ଭାଗ ଦୁଇଜଣଙ୍କର ।

 

ନୀଳ ନୀଡ଼ / ନୀଳ ଆଖି

ନୀଳ କଇଁ / ନୀଳ ନଈ

ସୁନୀଳ ସାଗର

ସମ୍ବେଦନ ମନ ଦୁଇ

ଖୋଜୁଥିଲା

ନୀଳଛାଙ୍କ ସ୍ୱପ୍ନ ଖୋଳପାର ।

 

ଶୀତ, ବର୍ଷା, ଚଇତ, ଫଗୁଣ

ଆମ୍ବଡାଳେ ମୁକୁଳ ବସନ୍ତର

ଆତ୍ମା, ଆତ୍ମୀୟତା ଭିନ୍ନ

ପ୍ରବଣତା

ନ ଥିଲା ବି ଅଜାଣତେ କେହି ଜଣଙ୍କର ।।

ଭୁଲ ହେଲା,

ଜାଣିଛ କି ତମର ନା ମୋର ?

ତମର ବା ଯାଏ ଆସେ କେତେ

ଲୁହର କବନ୍ଧ ପଛେ

ନାଚୁଥାଉ ଏଠି ବାରମ୍ବାର ।।

Image

 

ତୋ’ ସହ ଗପିବି

 

କଥା ଥିଲା–

ତୋ’ ହସରେ ହସିବି ଓ

ଲୁହରେ ଝାଳେଇବି ।

ମୋର ଯେତେ ମୂଲ୍ୟବାନ୍ ସମୟ

ଅମୂଲ୍ୟ, ମହାର୍ଘ୍ୟ କରିବି

ତୋ’ ସହ ଗପିବି ।।

 

କଥା ଥିଲା–

ସବୁ ସହିବି

ରାଗ, ରୁଷା, ଅଭିମାନ ଓ ଅପବାଦ

ତଥାପି ଗୋଟେ ଜୋସ୍‌ରେ ଜିଇଁବି

ତୋ ସହ ଗପିବି ।।

 

କଥା ଥିଲା–

ଅଶିଣ ରାତିରେ

ତୋ ବାଡ଼ି

ଦରଜା ଖଟ୍‍ଖଟ୍ କରିବି

ଭୋଦୁଅ ଆକାଶର

ନିରୋଳା ଜହ୍ନପରି

ସ୍ଵପ୍ନ ମୁଠେ ଦେବି।

 

କଥା ଥିଲା–

ଫୁଲଉଡ଼ା ଧାନକ୍ଷେତ ପରି

ତୋ ଗହଗହ ଛାତିତଳ

ଢେଙ୍କିକୁଟା ପାହାର ପରି

ଧଡ଼୍‍ଧଡ଼୍‍ କରିବି

ତୋ ସହ ଗପିବି ।।

 

କଥା ଥିଲା–

ଆମେ ଦିହେଁ ବେଳ ଦେଖି

ଭୁଲିବା ଆପଣାକୁ

ଆପଣା ଚାରିକଡ଼ର

ମଣିଷଗୁଡ଼ାଙ୍କୁ ।

 

କଥା ଥିଲା–

ପୃଥିବୀଟା ଗୋଲ୍ ଯେଣୁ

ଭେଟ ହେବା ନିହାତି ସମ୍ଭବ

ଏଣୁ ଭୁଲିଲେ ଭୁଲିବା ପଛେ

ନିହାତି ଆପଣାକୁ

ଭୁଲ୍ ରେ ଭୁଲିବାନି ଗପିବାକୁ ।।

Image

 

ଜନ୍ମଦିନ

 

ଭାବିଥିଲି ଦେବି ଫୁଲତୋଡ଼ାଟିଏ

ହାପି ବାର୍ଥ ଡ଼େ କହିବାକୁ

ଫୁଲେଇ ଫୁଲଟା ଲାଜେ ସରମିଲା

ଫୁଲକୁମାରୀ ଗୋ

ଫୁଲଅଂଗ ତୁମ ଛୁଇଁବାକୁ ।

 

ହାପି ବାର୍ଥ ଡେ କହିଲିନି ବୋଲି

ମନ ଊଣା ଜମା କରିବନି

ଶୁଭେଚ୍ଛା ଭିଡ଼ରେ ହଜିଯିବା ପାଇଁ

ଦରଦୀ ମନ ମୋ ଚାହିଁଲାନି ।

 

ଅୟୁତ ଯୁଗର କଳ୍ପନା ଆଗୋ

ଅନିଭା ଦୀପଟେ ଜାଳୁଥାଅ

ଗୋଟିଏ ନୁହଁ ଗୋ କୋଟିଏ ଯୁଗକୁ

ଶୁଭଜନ୍ମଦିନ ପାଳୁଥାଅ ।।

Image

 

ରାଜଜେମା

 

ଅପରୂପାର ଏ ରୂପ ବଇଭବ

ଦୁର୍ଲଭ ମହୀତଳେ

ଶତଗୁଞ୍ଜନ ପରାହତ ଏଠି

ରାଗ ଝଙ୍କାର ତୋଳେ ।

ନଷ୍ଟରାତିର ନିରବ ଛାତିରେ

ନିଆଶୀ ନିଦଟେ ନୂଆ

ନିଷ୍ପ୍ରାଣ ଶିଳା ସ୍ଵପ୍ନ ଛଟାରେ

ତମେ ଗୋ ଶିଳ୍ପୀ-ନିହାଣମୁନର ଛୁଆଁ ।।

 

ବୟସଟା ହେଉ ବନସାଇ ଆଗୋ

ସମୟରେ ଲାଗୁ କମା

ବସନ୍ତ ସେମିତି ଅଫେରା ଯେମିତି

ଚିରକାଳ ରାଜଜେମା

ଆଉ, ବି ଅଫେରା ସ୍ୱପ୍ନ ପସରା

ହୃଦୟକୁ କରେ କିମା

 

କି ଉପମା ଦେବି

ତମକୁ ତମେ ତ ଝିଅ ନୁହଁ ଗୋଟେ ବୋମା ।।

 

କାଜୁଫେନୀର ସେ ସଂଜ ନଇଁଛି

ଗୋଆ ବେଳାଭୂମି ଚୁମି

ପାହାଡ଼ଟା ସିନା ବେଇମାନୀ କରି

ତମକୁ ଦଉଛି ଛୁଇଁ

ହେଲେ ମତେ କାଇଁ

ଭାରି ଭଲଲାଗେ

ତମ ମିଠାମିଠା ଛୋଟ ଛୋଟ ଦୁଷ୍ଟାମି ।।

Image

 

ତମେ ଆସିଲ କି

 

ରୁଣ୍‍ଝୁଣ୍‍ କାହା ଚୁଡ଼ି ଶବ୍‍ଦ ଶୁଣି

ମତେ ଲାଗୁଥାଏ

ତମେ ଆସିଲ କି ?

 

ହଳଦୀବସନ୍ତ / କୋଇଲି ରାବିଲେ

ଶୁଭି ଯାଉଥାଏ ତମରି ପାଟି

ମତେ ଲାଗୁଥାଏ

ପ୍ରିୟତମ ବୋଲି ତମେ ଡାକିଲ କି ?

 

ଅଗଣାରେ

କାହା ପାଉଁଜି ଶୁଭିଲେ

ମତେ ଲାଗୁଥାଏ

ତମେ ଆସୁଛି କି ??

 

ଆଜି କାଲି ସିନା ଏକଲା ଫେରୁଛି

ନିଜକୁ ବଜେଇ ନିଜର ସାଥୀ

ରାସ୍ତାକଡ଼ରେ ବଣିଯୋଡ଼ି ଦେଖି

ଚିରି ଯାଉଥାଏ ମୋରି ଛାତି

ମନେ ଭାଳୁଥାଏ

ମୋ ଲାଗି ଢାଳୁନି ଲୁହ ଟୋପେ କେହି

ମନ୍ଦିର ବେଢ଼ାରେ ଦୀପଟେ ଜାଳୁନି

ଶୁଭ ମନାସି ।।

Image

 

ସେ ଯାଏ ତୁ ଥିର ହେଇ ଥା’

 

ମୁଁ ଫେରିବି

ପାହାଡ଼ ମଥାନରେ ଜହ୍ନ ହେଇ

ସେଯାଏ ତୁ’ ନଈ ହେଇ ଥା’ ।

 

ଲୋକ-ବାକ, ଗଛ-ବୃଚ୍ଛ

ଦେଖିବୁ ତ ଆ....

ବିରଳ ତୋଟାମାଳ

ବୁଦିକିଆ ଖରିଗଛ

କୁମ୍ଭାଟୁଆ ଡାକ

ଘାଟିଆ ଛାଡ଼ିବା ଦିନଠୁ’ ଘାଟ

ମୁଁ ତ ସେ ପାରିର ଲୋକ ।

 

କ’ଣ କରିବା କହ ?

ବାଡ଼ିପଟ ଦେବଦାରୁ

ତୋ ଝାଳ

ତୋ ହସ

 

 

ପ୍ରେମ ଆଉ କ’ଣ ଯେ ?

ପିଠି କରି ଆଉଜିଗଲେ

ବୁଲି ପଡୁଛି ଆଗକୁ ।

 

ଚେଇଁ ଥା

ଚକ୍‌ ଚକ୍ ସୁନା ମାଛ

ପୋହଳା

ବାଣ୍ଟି ଦେଇଥିବା ଫୁଲବଣ

ଭରା ଛାତି ଶବ୍ଦଗନ୍ଧ

ଅଶିଣ ରାତିରେ

ଠକ୍‌ଠକ୍ କରିବ ବାଡ଼ିକବାଟ

ସେ ଯାଏ ତୋ ଚହଲା ପାଣିକୁ

ଥିର କରି ଥା’ ।।

Image

 

କାହାଲାଗି କୁହୁଳା କାନ୍ଦଣା

 

କାହାଲାଗି କୁହୁଳା କାନ୍ଦଣା !

କୁଳଟା ନିଦରେ

କଳକଳ ସ୍ଵପ୍ନ ଏବେ

ଫେରାର କଏଦୀ,

ଯଉବନ ଜଉଘରେ ଜଳିଯାଏ

କାମନାର କୁହାଟରେ

କବୋଷ୍ଣ କୌମୁଦୀ ।

 

କୁଆଁରୀ ପବନରେ

କଳକଳ ନିନ୍ଦା ବାଜଣା ।

 

କଅଁଳ କଲିଜାରେ

କଟୁରି ଲଗେଇ

କାଲିପରି ଅଳିକରି

କଳଙ୍କଟେ ପାଇଁ

କବରୀର କବରରେ କନ୍ଦେଇଲ

କାହ୍ନୁର କଳାପ,

କେଉଁଠି ସେ କଚୁଆନ ?

 

କଳହଂସୀ କହିବ କି–

କୁଳଟା ନିଦର କାହାଣୀ

କୁହୁଳା କାନ୍ଦଣାର କଳାଘୁମ ଚାହାଁଣି

କଇଁକଇଁ କବୁତର ହୃଦୟ ବିଳାପ ।

କାହାର ଏ କବର କାହାକୁ କି ଜଣା ?

 

କବିର କବୁଲନାମାରେ

ଦୁଷ୍ଟ ପ୍ରଜାପତି,

କବରୀର କାଞ୍ଜିଆହୁଦାରେ

ଖେଳେ କିତିକିତି ।

କାବୁଲର କୁହୁଡ଼ିରେ କବୁତର୍ ପରି

କଚୁଆନ କଣ୍ଟଦେଇ

କବିଲାର କାମରାକୁ କିନରା କରିଛି

କାହାଲାଗି କୁହୁଳା କାନ୍ଦଣା ? ? ?

 

କୌନ୍ତେୟକୁ କୃଷ୍ଠାର ଠିକଣା ଅଜଣା !!!

Image

 

ଅଳ୍ପ ଅଶିଣ ପାପ

 

ଅଂଶୁପା ଆଗୋ !

ଅଲୋଡ଼ା ଅଶିଣ ଅକଡ଼ିଛି ବୋଲି

ଅଇନି କରୁଛ କାଇଁ ?

ଅମେଘୀ ରାତିରେ ଅଦଉତି କରି

ଅଳସ ଭାଙ୍ଗନା

ଅଫେରା ଅଳସୀ ନଈ ।

 

ଅଧା ଉଇଁଥିବା

ଅରୁନ୍ଧତୀର ଅଧୁରା ନିଦରେ

ଅଙ୍କେଇ ଦେଇଛ ଅଞ୍ଜଳିଭରା

ଅଲ୍ୟ ଅପଡ଼ ଝଡ଼,

ଅସ୍ତରାଗର ଅନତି ଦୂରରେ

ଅଚିହ୍ନା ଅତିଥି

ଅଧାଅଙ୍କା ମୋ ଅଶ୍ରୁ ନୀଡ଼ରେ

ଅମିଠା ଜୀବନ ଭିଡ଼ ।

 

ଅଶ୍ରୁର-ଅଂଶୁପା ଆଗୋ !

ଅନ୍ତତଃ ଥରେ

ଅସ୍ତ ହେବାକୁ ଅଡ଼ି ବସିଛି କି ?

ଅସରାଏ ଅନୁତାପ,

ଅଥଚ ଅତୀତ–

ଅସ୍ତାଚଳର ଅନ୍ତପୁରରେ

ଅଣଲେଉଟାଣି

ଅଳ୍ପ ଅଶିଣ ପାପ ।।

Image

 

ଓଡ଼ିଆ କବିତା ଜଗତରେ ପ୍ରବୋଧ ରାଉତ ଏକ ଶ୍ରଦ୍ଧାଶୀଳ ନାମ । ଭାବଗତ ସୃଜନଶୀଳତା ଓ ଶବ୍ଦଚୟନର କମନୀୟତା ସମକାଳୀନ କତିପୟ କବିମାନଙ୍କ ମଧ୍ୟରେ ତାଙ୍କୁ ଦେଇଛି ନିଆରା ପରିଚୟ ।

 

‘ଅଳ୍ପ ଅଶିଣ ପାପ’ ବିଗତ ଦୁଇ ଦଶନ୍ଧିବ୍ୟାପୀ ସାହିତ୍ୟ ସାଧନାର ନିରୁତାପଣ। ସନ୍ନିବେଷ୍ଟିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା, ଦୈନିକ ଖବରକାଗଜ ପୃଷ୍ଠାରେ ସାଉଁଟିଛି ପାଠକୀୟ ଆଦୃତି । ବୃତ୍ତିରେ ପ୍ରଶାସନିକ ଅଧିକାରୀ । ନିଶାରେ ସାହିତ୍ୟ ସାଧନା । କବିତା ଭିନ୍ନ ଗୀତ, ନାଟକ ଓ ଗଳ୍ପଜଗତରେ ମଧ୍ୟ ଶ୍ରୀ ରାଉତ ଜଣେ ଶବ୍ଦର ଯାଦୁକର । ଶବ୍ଦଖେଳର ଇଏ ତାଙ୍କର ଅଷ୍ଟମ ସ୍ୱାକ୍ଷର ।

Image